Categories: ଜାତୀୟ

ବିଧାୟକଙ୍କ ଠାରୁ ଟଙ୍କା ଜବତ, ଇଡି ଚୁପ୍‌ କାହିଁକି …

କୋଲକାତା,୧।୮ : କଂଗ୍ରେସ ବିଧାୟକଙ୍କ ନିକଟରୁ ଜବତ ହୋଇଥିବା ନଗଦ ଟଙ୍କା ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ର ନୀରବତା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ପ୍ରଶ୍ନ କରିଛି। ଏସମ୍ପର୍କରେ ଗୋଟିଏ ପରେ ଗୋଟିଏ ଟିଏମସିର ଟୁଇଟର ହ୍ୟାଣ୍ଡେଲରୁ ଅନେକ ଟୁଇଟ କରାଯାଇଥିଲା। ଏକ ଟୁଇଟରେ କୁହାଯାଇଛି, ଝାଡଖଣ୍ଡର ତିନି ଜଣ କଂଗ୍ରେସ ବିଧାୟକଙ୍କଠାରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

ଆମେ ଦେଖିଛୁ ଭାଜପା କିପରି ଅଗଣତାନ୍ତ୍ରିକ ଭାବେ ନିର୍ବାଚିତ ସରକାରଗୁଡିକୁ କ୍ଷମତାଚ୍ୟୁତ କରୁଛି। ଏହି ଘଟଣା ବର୍ତ୍ତମାନ ଝାଡଖଣ୍ଡରେ ପୁନରାବୃତ୍ତି ହେବାକୁ ଯାଉଛି କି ବୋଲି ପ୍ରଶ୍ନ କରାଯାଇଛି। ତୃଣମୂଳ କଂଗ୍ରେସ ଏହି ଘଟଣାର ସ୍ବଚ୍ଛ ତଦନ୍ତ ଦାବି କରିଛି। ଟିଏମସି କହିଛି, ଆଶ୍ଚର୍ଯ୍ୟଜନକ ଯେ ଜବତ ହୋଇଥିବା ଅର୍ଥର ଉତ୍ସ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ଆମେ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ କଥା ଶୁଣୁଛୁ ଯେ ଝାଡଖଣ୍ଡ ସରକାର କ୍ଷମତାଚ୍ୟୁତ ହେବେ। ଏହି ମାମଲାର ଯାଞ୍ଚ୍‌ କରିବା ପାଇଁ ଏହା ପ୍ରର୍ଯ୍ୟାପ୍ତ ନୁହେଁ କି ବୋଲି ପଚରାଯାଇଛି।

ମମତା ବାନାର୍ଜୀଙ୍କ ଦଳ ବିଧାନସଭାର ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ଭୂମିକା ଯାଞ୍ଚ ପାଇଁ ଦାବି କରିଛି। ଅଧିକାରୀ ଜଣକ କହିଥିଲେ ଯେ ମହାରାଷ୍ଟ୍ର ପରେ ଏବେ ଝାଡଖଣ୍ଡ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗର ପାଳି।
ଟିଏମସି ମଧ୍ୟ ଶିବସେନା ଏମ୍‌ପି ସଞ୍ଜୟ ରାଉତଙ୍କ ବିରୋଧରେ ଇଡିଙ୍କ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ଉଠାଇଛି। ବିରୋଧୀ ଦଳଙ୍କ ସ୍ବରକୁ ଦମନ କରିବାକୁ କେନ୍ଦ୍ରର ଶାସକ ଭାଜପାର ଏହା ଏକ ପ୍ରୟାସ ବୋଲି ଟିଏମ୍‌ସି କହିଛି। ଟିଏମସି ଏମ୍‌ପି ଶାନ୍ତନୁ ସେନ ଇଡି ଚଢ଼ାଉକୁ ନିନ୍ଦା କରିବା ସହ ଏହାକୁ ପ୍ରତିଶୋଧ ରାଜନୀତି ବୋଲି କହିଛନ୍ତି। ସଂସଦ ଭିତରେ ଓ ବାହାରେ ବିରୋଧୀଙ୍କ ସ୍ବରକୁ ଦମନ କରିବାକୁ ଏହା ଏକ ପ୍ରୟାସ। ସଂସଦ ଭିତରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଏମ୍‌ପିମାନଙ୍କୁ ନିଲମ୍ବନ କରୁଥିବାବେଳେ ବାହାରେ ବିରୋଧୀ ଦଳର ନେତାମାନଙ୍କୁ ଭୟଭୀତ କରିବା ପାଇଁ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରାଯାଉଥିବା ଟିଏମ୍‌ସି।

Share