ଚୋରା ମାଙ୍ଗାନିଜ ବୋଝେଇ ଗାଡ଼ି ନେଇ ଯାଉଥିଲେ ମଝି ରାସ୍ତାରେ ଫାଟିଲା ଚକା : ଧରିଲା ପୋଲିସ

ଯୋଡ଼ା,୪ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ କାରଣ ସାହିଠାରେ ପୋଲିସ ଏକ ଚୋରା ମାଙ୍ଗାନିଜ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଛି। ଏକ ପିକ୍‌ଅପ୍‌ ଭ୍ୟାନ୍‌ (ନଂ. ଜେଏଚ୍‌ ୦୫ଡିଇ ୭୬୮୨)ରେ  କାରଣ ସାହି ବିମଲ ଦୀପ  କ୍ରଶର ରାସ୍ତା ଦେଇ ଝାଡ଼ଖଣ୍ଡ ଅଭିମୁଖେ ମାଙ୍ଗାନିଜ ଚୋରା ଚାଲାଣ ହେଉଥିବା ବେଳେ ଭ୍ୟାନ୍‌ର ଚକ ଫାଟି ଯାଇଥିଲା। ପୋଲିସ ଉକ୍ତ ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ସେଠାରେ ପହଞ୍ଚତ୍ ଥିଲା। ପୋଲିସକୁ ଦେଖି ଚୋରାଚାଲାଣକାରୀମାନେ ସେଠାରୁ ଫେରାର ହୋଇ  ଯାଇଥିଲେ। ଉକ୍ତ ଭ୍ୟାନ୍‌ରେ ଉନ୍ନତ ମାନର  ଚୋରା ମାଙ୍ଗାନିଜ ବୋଝେଇ ହୋଇଥିବା ପୋଲିସ ଜାଣିବାକୁ ପାଇ ତାହାକୁ ଜବତ କରିଥିଲା। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ୨୦୨୦ରେ ଖଣି ନିଲାମ ହେବା ପରେ ଖଣିଜ ସମ୍ପଦର ମୂଲ୍ୟ ବୃଦ୍ଧି ହେଲା। ତେଣେ କିଛି ଖଣି ନିଜ ଶିଳ୍ପ ଅନୁଷ୍ଠାନରେ ବ୍ୟବହାର ପାଇଁ ନିଜସ୍ବ ଖଣିରୁ କଞ୍ଚା ମାଲ ନେବାରୁ ବଜାରରେ ଘରୋଇ ଶିଳ୍ପ ପାଇଁ କଞ୍ଚାମାଲର ଅଭାବ ରହୁଛି। ଏହି ଅଭାବକୁ ମେଣ୍ଟାଇବାକୁ ଯାଇ ସକ୍ରିୟ ଖଣିଜ ଚୋରମାନେ ଝାଡ଼ଖଣ୍ଡରୁ ଆସି ଏଠାରେ ପରିତ୍ୟକ୍ତ ହୋଇ ପଡ଼ିରହିଥିବା ଖଣିରୁ ଚୋରାରେ ଖଣିଜ ନେଇ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ଚାଲାଣ କରୁଛନ୍ତି। ଖଣି ବିଭାଗର ସ୍କ୍ବାଡ୍‌ ଓ ପୋଲିସ ଯାଞ୍ଚ କରୁଥିଲେ ମଧ୍ୟ ବିଭିନ୍ନ ଜଙ୍ଗଲ ରାସ୍ତା ଦେଇ ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳୁଛି।