୫୨୦ ଗ୍ରାମ ବ୍ରାଉନସୁଗାର ଜବତ: ଧରାପଡ଼ିଲେ କୋର୍ଟ ପିଅନ

କେନ୍ଦୁଝର,୧୬।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): (୦୩) ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ବ୍ରାଉନସୁଗାର କାରବାର ଉପରେ ଧରପଗଡ଼ ଆରମ୍ଭ କରିଛି। ସମ୍ପୃକ୍ତ ଟିମ୍‌ ଟାଉନ୍‌ ପୋଲିସ ସହାୟତାରେ ବ୍ରାଉନସୁଗାର କାରବାର ବେଳେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ଏକ କାର୍‌ ଜବତ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ଦେବାନନ୍ଦ ସାମଲ(୩୭)। ଦେବାନନ୍ଦ କେନ୍ଦୁଝର ଜୁଡିସିଆଲ କୋର୍ଟରେ ପିଅନ ଭାବେ କାମ କରୁଥିଲେ ବୋଲି ଜଣାପଡିଛି। ଟାଉନ ଥାନା ଅନ୍ତର୍ଗତ ସିଲୁଆଁ ଗ୍ରାମ ନିକଟରୁ ତାଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ନିକଟରୁ ୫୨୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍‌ ।

ମିଳିଥିବା ସୂଚନା ମୁତାବକ, ଏକ କାରରେ ବ୍ରାଉନସୁଗାର କାରବାର ହେଉଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ ଟିମ୍‌ ଟାଉନ ଥାନା ପୋଲିସ ସହାୟତାରେ ଚଢାଉ କରିଥିଲେ। ଚଢାଉ ବେଳେ ବ୍ରଉନସୁଗାର ସହିତ ଦେବାନନ୍ଦଙ୍କୁ ଧରି ଟାଉନ ଥାନାକୁ ହସ୍ତାନ୍ତର କରାଯାଇଥିଲା। ଜବତ ବ୍ରଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟିରୁ ଅଧିକ ହେବ ବୋଲି ସୂଚନା ମିଳିଛି । ଏନେଇ ଏକ ମାମଲା(ନଂ.୩୮୦, ଏନ୍‌ଡିପିଏସ୍‌ ଆଇନ ୧୯୮୫ ଧାରା ୨୧(ସି)ରେ ମାମଲା ରୁଜୁ କରି ଏସଟିଏଫ୍‌ ତଦନ୍ତ ଜାରି ରଖିଛି।

Share