ଓଡଗାଁ୮।୩(ସ୍ବ.ପ୍ର.): କିଛି ଦିନ ବ୍ୟବଧାନରେ ପୁଣି ଥରେ ନୟାଗଡ଼ ଓଡଗାଁ ବନାଞ୍ଚଳ ଅନ୍ତର୍ଗତ ନାଉଖାଲ ନିକଟରୁ ୬୦କିଲୋଗ୍ରାମ୍ ବନ୍ୟପ୍ରାଣୀ ମାଂସ ଜବତ କରିଛି ବନ ବିଭାଗ। ବନବିଭାଗ କର୍ମଚାରୀ ସୂଚନା ପାଇ ନାଉଖାଲ ନର୍ସରୀ ସାମ୍ନାରେ ଥିବା ଏକ ଅଟୋକୁ ସନ୍ଦେହ କରି ଅଟକାଇ ଯାଞ୍ଚ କରିଥିଲେ। ହେଲେ ସେଥିରୁ ପଲିଥିନ ପୁଡା ହୋଇଥିବା କେତେକ ଜଙ୍ଗଲୀ ମାଂସ ଦେଖିବାକୁ ମିଳିଥିଲା। ତୁରନ୍ତ ମାଂସ ସହିତ ଓଡି-୨୫ଡି ୩୬୪୯ ନମ୍ବର ବିଶିଷ୍ଟ ଅଟୋକୁ ଜବତ କରିଥିଲେ ବନବିଭାଗ ଅଧିକାରୀ। ଗିରଫ ଅଟୋ ଚାଳକ ଜଣକ ଗୋଡିପଲିର ପୀତବାସ ନାହକ(୫୬) ଏବଂ ଜଗନ୍ନାଥପ୍ରସାଦ ଗଞ୍ଜାମର ଫକୀର ନାହକ(୫୫) ବୋଲି ଜଣାପଡ଼ିଛି। ଏମାନଙ୍କୁ ଗିରଫ କରାଯାଇ ଉଭୟଙ୍କ ବିରୋଧରେ ଧାରା ୩୭/୨୦୨୨-୨୦୨୩ରେ ଏକ ମାମଲା ରୁଜୁ କରିବା ସହିତ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା। ତେବେ ଜବତ ମାଂସ ସମ୍ବର କିମ୍ବା ହରିଣ ହୋଇଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଥିବା ବେଳେ ପରୀକ୍ଷା ପାଇଁ ପଠାଯାଇଛି। ସୂଚନାଯୋଗ୍ୟ, ବେଲଗୁଣ୍ଠାରୁ ଓଡ଼ଗାଁ ଆସୁଥିବା ବେଳେ ଏହି ମାଂସ ଜବତ କରିଥିଲା ବନ ବିଭାଗ।