Advertisement

ବାଘ ଲୋମ, ମୁଣ୍ଡ, ହାଡ଼ ଜବତ

ବୌଦ୍ଧ, ୧୧।୪(ସ୍ବ.ପ୍ର): ବୌଦ୍ଧ ଜିଲାରେ ବିଭିନ୍ନ ସମୟରେ ବାଘ, ହରିଣ ଚମଡା ଜବତ କରାଯାଇଆସୁଥିବାବେଳେ ସୋମବାର ପୁଣି ଏଭଳି ଘଟଣା ଘଟିଛି। ବନ କର୍ମଚାରୀମାନେ ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତ ବଡଖଜୁରି ଗ୍ରାମର ବିଶ୍ୱାମିତ୍ର ଜାନୀଙ୍କ ଘରେ ଚଢାଉକରି ବାଘ ଲୋମ ଓ ମାଟିତଳୁ ବାଘ ମୁଣ୍ଡ ହାଡ଼ ଜବତ କରିଛନ୍ତି।
ସୂଚନା ମୁତାବକ ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ବାଣିଗୋଛା ରେଞ୍ଜ ପକ୍ଷରୁ ଦୁଇ ଦିନ ତଳେ ଜଣେ ବ୍ୟକ୍ତିଙ୍କଠାରୁ ବାଘର ଗୋଡ଼ ସହ ନଖ ଜବତ କରାଯାଇଥିଲା। ଏହା କେଉଁଠୁ ଆଣିଲୁ ପଚରାଉଚରା କରିବାରୁ ଅଭିଯୁକ୍ତ ଜଣକ ବିଶ୍ୱାମିତ୍ରଙ୍କ ନାମ ଓ ଠିକଣା କହିଥିଲେ। ଏହି ସୂଚନା ଆଧାରରେ ମହାନଦୀ ବନପ୍ରାଣୀ ବିଭାଗ ଓ ବୌଦ୍ଧ ବନବିଭାଗ ପକ୍ଷରୁ ମିଳିତ ଭାବେ ବିଶ୍ୱାମିତ୍ରଙ୍କ ଘରେ ଭୋର ଚଢାଉ କରାଯାଇଥିଲା। ବନ କର୍ମଚାରୀମାନେ ବିଶ୍ୱାମିତ୍ରଙ୍କ ଘରୁ ବାଘ ଲୋମ ସହ ଦେଶୀ ବନ୍ଧୁକ, ଟାଙ୍ଗିଆ, ଭୁଜାଲି, କଟୁରି ଜବତ କରିଥିଲେ। ପଚରାଉଚରା ପରେ ବାଘକୁ ମାରି ପୋତିଥିବା ସ୍ଥାନକୁ ନେଇଥିଲେ। ସେହି ସ୍ଥାନକୁ ଖୋଲିବା ପରେ ସେଠାରୁ ବାଘର ମୁଣ୍ଡ ହାଡ ମଧ୍ୟ ଜବତ କରାଯାଇଛି। ମହାନଦୀ ବନ୍ୟପ୍ରାଣୀ ପକ୍ଷରୁ ବିଶ୍ୱାମିତ୍ରଙ୍କୁ ଗିରଫ କରାଯାଇ ନୟାଗଡ ନେଇ ଯାଇଥିବା ଜଣାପଡିଛି। ଏହି ଚଢାଉରେ ବୌଦ୍ଧ ବନଖଣ୍ଡ ଏସିଏଫ୍‌ ଆଶିଷ କହଁର, ମାଧପୁର ରେଞ୍ଜର ପ୍ରବୀଣ ମହାକୁଡ, ଗାର୍ଡ ଅର୍ଜୁନ କହଁର, ପ୍ରକାଶ ପ୍ରଧାନ, ପ୍ରଦୀପ ସାହୁ, ଦୀପକ ପ୍ରଧାନ ଓ ବାଣିଗୋଛା ମହାନଦୀ ବନ୍ୟପ୍ରାଣୀ ରେଞ୍ଜର ସଂସାର ବର୍ଗିଆ ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share