ବିଦ୍ୟାଳୟ ପରିସରରୁ ଜବରଦଖଲ ଉଚ୍ଛେଦ

ଛେଣ୍ଡିପଦା,୨୫ା୧୧(ସ୍ବ.ପ୍ର.): ଛେଣ୍ଡିପଦା ବ୍ଲକ ଜରପଡା ଥାନା କତଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ସରକାରୀ ଜାଗାରୁ ବୁଧବାର ସ୍ଥାନୀୟ ପୋଲିସ ପ୍ରଶାସନ ଜବରଦଖଲ ଉଚ୍ଛେଦ କରିଛନ୍ତି। ଏହି ସରକାରୀ ଜାଗାକୁ କେତେଜଣ ବ୍ୟକ୍ତି ଜବରଦଖଲ କରିଥିଲେ। ଉକ୍ତ ଜବରଦଖଲ ହଟାଯିବା ପରେ ବିଦ୍ୟାଳୟକୁ ସ୍ଥାୟୀ ରାସ୍ତା, ପାଚେରି ନିର୍ମାଣ ସହିତ ଖେଳପଡିଆର ଉନ୍ନତୀକରଣ କାର୍ଯ୍ୟ କରାଯିବ। ତେବେ ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ବିଦ୍ୟାଳୟର ଜମି ଅଧିଗ୍ରହଣ କରାଯାଇଛି। ଏପରି କି ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଗ୍ରାମର ଶେଷ ଭାଗରେ ଏକ ନୂତନ ସ୍କୁଲ କ୍ୟାମ୍ପସ୍‌ ନିର୍ମାଣ କରାଯାଇଛି। କିନ୍ତୁ ଉକ୍ତ କ୍ୟାମ୍ପସ ମଧ୍ୟକୁ ସ୍ଥାୟୀ ରାସ୍ତା ନିର୍ମାଣ କରାଯାଇନାହିଁ। ଛାତ୍ରୀଛାତ୍ରମାନଙ୍କ ସୁବିଧା ନିମନ୍ତେ ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍‌ ସଂଯୋଗ, ରୋଷେଇ ଘର, ପରିସ୍ରାଗାର, ପାଇଖାନା ନିର୍ମାଣ ହୋଇପାରିନାହିଁ। କିନ୍ତୁ ସ୍କୁଲ ସ୍ଥାନାନ୍ତର ପାଇଁ ଏନ୍‌ଏଚ୍‌ଏଆଇ ପ୍ରଶାସନ ଉପରେ ଚାପ ପକାଉଥିବା ବିଦ୍ୟାଳୟ ଶିକ୍ଷା କମିଟି ଏବଂ ଗ୍ରାମବାସୀ ଅଭିଯୋଗ କରିବା ସହ ଏହାକୁ ବିରୋଧ କରିଥିଲେ। ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କା ଗ୍ରାମବାସୀଙ୍କ ଦାବିର ଅନୁଧ୍ୟାନ କରିବା ସହ ଯଥାଶୀଘ୍ର ସମସ୍ତ ବ୍ୟବସ୍ଥା ଶେଷ କରିବାକୁ ଦାୟିତ୍ୱରେ ଥିବା ଠିକା ସଂସ୍ଥା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଅନୁଗୋଳ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉଚ୍ଛେଦ କାର୍ଯ୍ୟ ବେଳେ ଜରପଡା ଥାନା ଅଧିକାରୀ ସରୋଜକାନ୍ତ ସାମଲ, ସବ୍‌ ଇନ୍ସପେକ୍ଟର ଗଙ୍ଗାଧର ବେହେରା, ଗ୍ରାମ ସଭାପତି ଗୋକୁଳ ପ୍ରଧାନ, ଶିକ୍ଷା କମିଟି ସଭାପତି ଶିବରାମ ପ୍ରଧାନ, ପୂର୍ବତନ ସରପଞ୍ଚ ସଞ୍ଜୟ କୁମାର ପ୍ରଧାନ ଓ ଏକ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତ ଥିଲେ।