ଲଣ୍ଡନ,୨।୭: କୋଭିଡ୍-୧୯ ନିୟମକୁ ପାଳନ କରିବା ସହିତ ଭାରତୀୟ ଦଳକୁ ଅଭ୍ୟାସ ପାଇଁ ଏକ ଓ୍ବାର୍ମଅପ୍ ମ୍ୟାଚ୍ ଦେବା ଦିଗରେ କାମ କରୁଛି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)। ଜୁଲାଇର ତୃତୀୟ ସପ୍ତାହରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ‘ସିଲେକ୍ଟ କାଉଣ୍ଟି ଏକାଦଶ’ ସହ ଓ୍ବାର୍ମଅପ୍ ମ୍ୟାଚ୍ ଖେଳିବ। ପୂର୍ବରୁ ‘କାମ୍ବାଇଣ୍ଡ କାଉଣ୍ଟିଜ’ ନାମରେ ଜଣା ଯାଉଥିଲା ଏହି ଦଳ। ୩ ଦିନିଆ ଭିତ୍ତିରେ ଖେଳାଯିବାକୁ ଥିବା ଏହି ଓ୍ବାର୍ମଅପ୍ ମ୍ୟାଚ୍କୁ ପ୍ରଥମ ଶ୍ରେଣୀ ମାନ୍ୟତା ଦିଆଯାଇଛି। ଏହି ମ୍ୟାଚ୍ର ତାରିଖ ଘୋଷଣା କରାଯାଇ ନ ଥିଲେ ମଧ୍ୟ ଚଳିତ ମାସ ୨୦ରୁ ୨୨ ମଧ୍ୟରେ ଖେଳାଯିବାର ବିଶେଷ ସମ୍ଭାବନା ରହିଛି।
ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତୀୟ ଦଳର ଅଭ୍ୟାସ ପାଇଁ ୩ ଦିନିଆ ଓ୍ବାର୍ମଅପ୍ ମ୍ୟାଚ୍ ଆୟୋଜନ କରିବାକୁ ବିସିସିଆଇ ପକ୍ଷରୁ ଅନୁରୋଧ କରାଯାଇଥିଲା। ଆମେ କୋଭିଡ୍-୧୯ ନିୟମ ମଧ୍ୟରେ ରହି ମ୍ୟାଚ୍କୁ ଆୟୋଜନ କରିବା ଦିଗରେ କାମ କରୁଛୁ। ପରବର୍ତ୍ତୀ ସମୟରେ ତାରିଖ ଘୋଷଣା କରାଯିବ। ଟିମ୍ ଇଣ୍ଡିଆ ଡର୍ହାମର ଏମିରେଟ୍ସ ରିଭରସାଇଡ୍ ଗ୍ରାଉଣ୍ଡରେ ୧୫ରୁ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ପ୍ରସ୍ତୁତି କରିବ। ଏହାପରେ ୪ ତାରିଖରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ଲାଗି ଟ୍ରେଣ୍ଟ ବ୍ରିଜ ଗସ୍ତ କରିବ ବୋଲି ଇସିବି ପ୍ରବକ୍ତା କହିଛନ୍ତି।
୨୩ ତାରିଖରୁ ‘ଦି ହଣ୍ଡ୍ରେଡ୍’ ଆରମ୍ଭ ହେବାକୁ ଯାଉଛି। ଏଥିରେ ଖେଳୁ ନ ଥିବା ଖେଳାଳିଙ୍କୁ ନେଇ ଏକ ଶକ୍ତିଶାଳୀ ଦଳ ଗଠନ କରାଯିବ ବୋଲି ଇସିବି ପକ୍ଷରୁ କୁହାଯାଇଛି।