Categories: ବାଣିଜ୍ୟ

ଓଏମ୍‌ସିଗୁଡ଼ିକ ପକ୍ଷରୁ ଖୁଚୁରା ଆଉଟ୍‌ଲେଟ୍‌ ଡିଲର ଚୟନ

ଭୁବନେଶ୍ୱର,୨୯।୬: ଦେଶର ପ୍ରମୁଖ ତୈଳ ବିପଣନକାରୀ କମ୍ପାନୀ ତଥା ପିଏସ୍‌ୟୁ ଅଏଲ ମାର୍କେଟିଂ କମ୍ପାନୀ (ଓଏମ୍‌ସି)ଗୁଡିକ ପକ୍ଷରୁ ସମଗ୍ର ଦେଶରେ ନୂତନ ଖୁଚୁରା ଆଉଟ୍‌ଲେଟ୍‌ ପ୍ରତିଷ୍ଠା ପାଇଁ ଘୋଷଣା କରାଯାଇଛି। ନୂତନ ଖୁଚୁରା ଆଉଟ୍‌ଲେଟ୍‌ ଆଶାୟୀମାନେ କମ୍ପାନୀର ଓ୍ବେବ୍‌ସାଇଟ www.petrolpupmdealerchayan.in ରେ ସମସ୍ତ ସୂଚନା ପାଇପାରିବେ ବୋଲି କୁହାଯାଇଛି। ଭାରତୀୟ ଗ୍ରାହକଙ୍କର ପେଟ୍ରୋଲ ଏବଂ ଡିଜେଲର ଚାହିଦା ପୂରଣ କରିବା ପାଇଁ ଭାରତୀୟ ତୈଳ ନିଗମ ଲିମିଟେଡ୍‌ (ଆଇଓସିଏଲ୍‌), ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ବିପିସିଏଲ୍‌) ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ଏଚ୍‌ପିସିଏଲ୍‌) ପକ୍ଷରୁ ସର୍ବଭାରତୀୟ ସ୍ତରରେ ଖୁଚୁରା ଆଉଟ୍‌ଲେଟ୍‌ ଡିଲର ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସମୟରେ ଦେଶର ସମସ୍ତ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳ କ୍ଷେତ୍ରରେ ମଧ୍ୟ କମ୍ପାନୀଗୁଡିକ ନୂତନ ଡିଲର ସନ୍ଧାନରେ ରହିଛନ୍ତି। ସେହିଭଳି କମ୍ପାନୀଗୁଡିକର ଏହି ସମ୍ପ୍ରସାରଣ ଯୋଜନା ଫଳରେ ଗୁଣାତ୍ମକ ପେଟ୍ରୋଲିୟମ ଉତ୍ପାଦଗୁଡିକ ଗ୍ରାହକଙ୍କ ନିକଟରେ ପହଞ୍ଚତ୍ପାରିବ। ସେହିପରି ଓଏମ୍‌ସିଗୁଡିକର ଖୁଚୁରା ଆଉଟଲେଟ୍‌ ନେଟ୍‌ୱାର୍କ ସମ୍ପ୍ରସାରଣ ବଳରେ ଉଭୟ ଅର୍ଥନୀତି ଓ ରୋଜଗାର ଏବଂ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ଅପରପକ୍ଷରେ ଖୁଚୁରା ଆଉଟ୍‌ଲେଟ୍‌ (ପେଟ୍ରୋଲ୍‌ ପମ୍ପ) ସ୍ଥାପନ ପାଇଁ ୨୦୧୮ରେ ଶେଷ ଥର ପାଇଁ ଓଏମ୍‌ସିଗୁଡିକ ପକ୍ଷରୁ ବିଭିନ୍ନ ମାଧ୍ୟମରେ ବିଜ୍ଞାପନ ପ୍ରଦାନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସମୟରେ ବଜାର ଚାହିଦା ଓ କାରବାର ବୃଦ୍ଧି ପାଇଁ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଆଶାୟୀ ପ୍ରାର୍ଥୀଙ୍କଠାରୁ ଆବେଦନ ଆହ୍ବାନ କରୁଥିବା ବିଜ୍ଞାପନ ଜାରି କରିଛନ୍ତି।

Share