କରୋନାର ଦ୍ୱିତୀୟ ଲହର ମନେ ପକାଉଛି ପୂର୍ବଦିନଗୁଡ଼ିକର କରୁଣ ଚିତ୍ର। ମହାରାଷ୍ଟ୍ର, ଛତିଶଗଡ଼, କର୍ନାଟକ, ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ଗୁଜରାଟରେ ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଅନ୍ୟ ରାଜ୍ୟକୁ ବ୍ୟାପିବା ଯୋଗୁ ଆଉ ଏକ ଲକ୍ଡାଉନ ଭୟ ଦେଖାଦେଇଛି। ଏବେ ମୋଟ ସଂକ୍ରମିତ ସଂଖ୍ୟାର ୫୭.୨୭% ରହିଛନ୍ତି ମହାରାଷ୍ଟ୍ରରେ। ଗୁଜରାଟରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଏହି ଦୁଇ ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ସର୍ବାଧିକ। ଏମାନେ ପୁଣି ଘରମୁହଁା ହେଲେଣି। ଅପରପକ୍ଷେ କୋଭିଡ୍ ୧୯ ଟିକାକରଣ ଚାଲିଛି। ମୋଟ ୮ କୋଟି ଲୋକଙ୍କୁ ଅଦ୍ୟାବଧି ଟିକା ଦିଆଯାଇଥିବା କୁହାଯାଉଥିବାବେଳେ ସେଥିମଧ୍ୟରୁ ଅଧିକାଂଶ କେବଳ ପ୍ରଥମ ଡୋଜ୍ ପାଇଛନ୍ତି। ତେବେ ଯେଉଁ ମନ୍ଥର ଗତିରେ ଟିକାକରଣ ଚାଲିଛି ୧୩୫ କୋଟିରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଦେଶରେ ସମସ୍ତଙ୍କୁ ସର୍ବନିମ୍ନ ଦୁଇଥର ଟିକା ଦିଆଗଲେ ୧୫ ବର୍ଷ ଲାଗିଯିବ ବୋଲି ଆକଳନ କରାଯାଉଛି। ମନେରଖିବାକୁ ହେବ, ଭାରତରେ ମିଳୁଥିତ୍ବା କୋଭାକ୍ସିନ ଓ କୋଭିଶିଲ୍ଡ ଟିକାର ମଣିଷ ଦେହରେ ପ୍ରଭାବ ସର୍ବାଧିକ ୩ରୁ ୪ ମାସ ଯାଏ ରହିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏଥିରୁ ଅନୁମାନ କରିହେବ ଭାରତରେ ଟିକାକରଣ ଅଭିଯାନ କେତେଦୂର ସଫଳ ହୋଇପାରିବ। ୨୦୧୧ ଜନଗଣନା ଅନୁଯାୟୀ ୧୮ ବର୍ଷ ବୟସରୁ କମ୍ ପିଲା ଓ କିଶୋରମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୪୧ ପ୍ରତିଶତ। ଏବେ ଏହା ୫୦% ହେବ ବୋଲି ବିଶ୍ୱାସ କରାଯାଇପାରେ। ବିଶେଷ କରି ଏହି ଦ୍ୱିତୀୟ ଲହରରେ ପରିଲକ୍ଷିତ ହେଉଛି ଯେ, କିଶୋର ଓ ପିଲା ମଧ୍ୟ ଏହାଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଏମାନଙ୍କୁ ଟିକା ଦିଆଯିବା ପାଳି କେତେବେଳେ ପଡ଼ିବ ତାହା କେହି କହିପାରିବେ ନାହିଁ। ଏଥିସହିତ ଯୋଡ଼ି ହୋଇଯାଇଛି ଟିକା ଅଭାବର ସମସ୍ୟା।
ଏକ ପୁରୁଣା ଓଡ଼ିଆ ଢଗ ଅଛି -‘ ଆପେ ବଞ୍ଚିଲେ ବାପର ନାଁ ’। ଏହାକୁ ସ୍ବାର୍ଥପର ଆଭିମୁଖ୍ୟ ବୋଲି କୁହାଯାଇପାରେ, କିନ୍ତୁ ଆଜିର କରୋନା ଭୂତାଣୁ ଯୁଗରେ ସମ୍ଭବତଃ ଏହା ହେଉଛି ଏକ ପନ୍ଥା। ଅର୍ଥାତ୍ ହାତ ଧୋଇବା, ଅନ୍ୟମାନଙ୍କଠାରୁ ଦୂରତା ରକ୍ଷା କରିବା, ନାକ ଓ ପାଟିକୁ ସବୁବେଳେ ଘୋଡ଼ାଇ ରଖିବା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ହେଲା ଭିଡ଼ ସୃଷ୍ଟି କରିବା ନାହିଁ କିମ୍ବା ଭିଡ଼ରେ ପ୍ରବେଶ କରିବା ନାହିଁ। ପ୍ରତ୍ୟେକ ନାଗରିକ ଏହି ସହଜ କେତୋଟି ପଦକ୍ଷେପ ପ୍ରତି ସଜାଗ ରହିପାରିଲେ ପରିବାରର ସମସ୍ତେ ସୁରକ୍ଷିତ ରହିବେ। ଯେଉଁମାନେ ଏହା ମାନୁନାହାନ୍ତି ସେମାନଙ୍କୁ ସମାଜବିରୋଧୀ ବୋଲି କୁହାଯାଇପାରେ।