ଆଗ୍ରହରୁ ଆତ୍ମନିର୍ଭର

କାମାକ୍ଷାନଗର, ୨୩ା୪(ଡି.ଏନ୍‌.ଏ.) ଖୋଲା ଆକାଶ ତଳେ ଶତାଧିକ ନଡ଼ାର ପ୍ୟାଡ୍‌। ସେଥିରେ ଫୁଟିଛି ମେଞ୍ଚା ମେଞ୍ଚା ଛତୁ। ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଏଭଳି ଓପନ୍‌ ଫାର୍ମ ଛତୁଚାଷ ଏବେ ଚର୍ଚ୍ଚା ସାଉଁଟୁଛି। ଅଞ୍ଚଳର ଯୁବଚାଷୀ ଏଭଳି ସହଜ ପଦ୍ଧତି ଆପଣାଇ ଆତ୍ମନିର୍ଭର ହେବାକୁ ଉଦ୍ୟମ କରି ଅନେକାଂଶରେ ସଫଳ ହୋଇଛନ୍ତି। ସରକାରୀସ୍ତରରେ ଆବଶ୍ୟକ ପ୍ରୋତ୍ସାହନ, ଉନ୍ନତ ଜ୍ଞାନକୌଶଳ ଏବଂ ପ୍ରଶିକ୍ଷଣ ମିଳିଲେ ଛତୁଚାଷରେ ଜିଲା ଆଗଧାଡ଼ିରେ ରହିବ ବୋଲି ମତପ୍ରକାଶ ପାଇଛି।
ଢେଙ୍କାନାଳ ଜିଲାର ଜଳବାୟୁ ଛତୁଚାଷ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଛି। କମ୍‌ ପରିଶ୍ରମରେ ଭଲ ଲାଭ ହେଉଥିବାରୁ ଗତ କିଛିବର୍ଷ ହେଲା ପ୍ରାୟ ଅଧିକାଂଶ ସ୍ଥାନରେ ଛତୁଚାଷ କରାଯାଉଛି। ବିଶେଷକରି ଓଡ଼ାପଡ଼ା ବ୍ଲକର ଇନ୍ଦିପୁର, କାମାକ୍ଷାନଗର ଆଲୁଅଝରଣ, ବଡ଼ଝରା, ଶିବୁଳାପଶି, ମହୁଲି, ଅଁଳାବେରଣୀ ଏବଂ ପରଜଙ୍ଗ ବ୍ଲକର ପଥରଖମ୍ବ, ମୁକ୍ତାପଶିରେ ବ୍ୟବସାୟିକ ଭିତ୍ତିରେ ହେଉଥିବା ଛତୁଚାଷ ଆଞ୍ଚଳିକସ୍ତରରେ ଚାହିଦା ମେଣ୍ଟାଇବା ସହ ବାହାରକୁ ରପ୍ତାନି ମଧ୍ୟ କରାଯାଉଛି। କେବଳ ପଥରଖମ୍ବ ଏବଂ ବଡ଼ଝରାରୁ ଦୈନିକ ପାଖାପାଖି ୫୦ କୁଇଣ୍ଟାଲ ଯାଏ ଛତୁ ଉପତ୍ାଦନ ହେଉଛି। ସେହିପରି କାମାକ୍ଷାନଗର ଏବଂ ପରଜଙ୍ଗ ବ୍ଲକରୁ ପ୍ରତିଦିନ ୧୦୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଛତୁ ବାହାରୁଛି। ଏହାକୁ ଢେଙ୍କାନାଳ, ଅନୁଗୋଳ, ତାଳଚେର ପଠାଯାଉଛି। ଯାଜପୁର ରୋଡ୍‌ ଏବଂ କେନ୍ଦୁଝର ଜିଲାର ବ୍ୟବସାୟୀମାନେ ଆସି ଚାଷୀଙ୍କ ପାଖରୁ ଛତୁ କିଣି ନେଉଛନ୍ତି।
ସାଧାରଣତଃ ନଭେମ୍ବର, ଡିସେମ୍ବର ଏବଂ ଜାନୁୟାରୀକୁ ଛାଡ଼ିଦେଲେ ବର୍ଷର ଅନ୍ୟ ସମୟ ପାଳଛତୁ ଚାଷ ପାଇଁ ଅନୁକୂଳ। ଆମ୍ବ ବଗିଚା ଭଳି ଛାଇ ଥିବା ସ୍ଥାନ ଓ ପାଣି ସୁବିଧା ଦେଖି ଚାଷୀମାନେ ପ୍ୟାଡ୍‌ ପକାଉଛନ୍ତି। ଫଳରେ ଖର୍ଚ୍ଚ ଏବଂ ଶ୍ରମିକ ମଜୁରି ବହୁ ପରିମାଣରେ କମିଯାଉଛି। ତେବେ ଏହି ଚାଷ ଲାଗି ଧାନ ଅମଳ ସମୟକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। କାରଣ ଏହି ସମୟରେ ବର୍ଷକ ଲାଗି ଆବଶ୍ୟକ ନଡ଼ା ସଂଗ୍ରହ କରି ରଖାଯାଇଥାଏ। ଛତୁଚାଷ ଏକ ଲାଭଜନକ ବ୍ୟବସାୟ ହୋଇଥିବାରୁ ଜଣେ ଚାଷୀ ବର୍ଷକୁ ଦେଢ଼ରୁ ଦୁଇଲକ୍ଷ ଟଙ୍କା ଯାଏ ରୋଜଗାର କରିପାରୁଛନ୍ତି। ଉଦ୍ୟାନ ବିଭାଗ ପକ୍ଷରୁ ତାଲିମ ଓ ଋଣ ବ୍ୟବସ୍ଥା କରାଗଲେ ଉତ୍ପାଦନ ଆହୁରି ବଢ଼ନ୍ତା ବୋଲି ଚାଷୀମାନେ କହିଛନ୍ତି।
ପାଗ ଅନୁକୁଳ ହେଲେ ବର୍ଷକୁ ଲାଭ ୨ ଲକ୍ଷ
ପ୍ରାୟ ୧୦ବର୍ଷ ହେବ ଛତୁଚାଷ କରିଆସୁଛି। ଏହି କାର୍ଯ୍ୟରେ ୫ ପିଲାଙ୍କୁ ନିଯୁକ୍ତି ଦେଇଛି। ଜଳବାୟୁ ଉପରେ ସବୁ କଥା ନିର୍ଭର କରୁଛି। ପାଗ ଅନୁକୂଳ ହେଲେ ବର୍ଷକୁ ୫ଲକ୍ଷ ଟଙ୍କା ଖର୍ଚ୍ଚ କଲେ ୨ଲକ୍ଷ ଟଙ୍କା ଯାଏ ଲାଭ ମିଳୁଛି। ଛତୁର ଚାହିଦା ବଢୁଛି। ଚାହିଦା ଅନୁସାରେ ଉପତ୍ାଦନ ହୋଇପାରୁନି।
-ଆର୍ତ୍ତତ୍ରାଣ ବିଶ୍ୱାଳ, ଛତୁଚାଷୀ

ସରକାରୀ ସହାୟତା କି ତାଲିମ ମିଳୁନି
ଅନ୍ୟ ଛତୁଚାଷୀଙ୍କୁ ଦେଖି ଏହି ଚାଷ କରିବାକୁ ଇଚ୍ଛା ହୋଇଥିଲା। ପାରମ୍ପରିକ ଚାଷ ସହ ଏବେ ୪ଜଣ ମିଳିମିଶି ଛତୁଚାଷ ଆରମ୍ଭ କରିଛୁ। ନିଜେ ପରିଶ୍ରମ କରି ଦି’ ପଇସା ରୋଜଗାର କରୁଛୁ। ହେଲେ ସରକାରୀସ୍ତରରେ ଋଣ କିମ୍ବା ତାଲିମ ମିଳୁନାହିଁ। କୃଷି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଉନି। ଆଶା ଅନୁଯାୟୀ ଚାଷ କରିପାରୁନୁ ା
-ଦୁଷ୍ମନ୍ତ ଦେହୁରୀ, ଛତୁଚାଷୀ

କଟକଣା ପାଇଁ ଚିନ୍ତା ବଢ଼ିଛି
ଉତ୍ପାଦିତ ଛତୁ ବିକ୍ରି କରିବାକୁ ସହରକୁ ଯିବାକୁ ପଡୁନାହିଁ। ବ୍ୟବସାୟୀ ଆସି ଛତୁ ନେଇଯାଉଛନ୍ତି। ଗତବର୍ଷ କରୋନା ସମୟରେ କଟକଣା ଯୋଗୁ ବ୍ୟାପକ କ୍ଷତି ସହିଥିଲୁ। ଚଳିତବର୍ଷ ଅଣ୍ଟାସଳଖି ଛିଡ଼ା ହେବା ବେଳକୁ ପୁଣି ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ଘୋଷଣା ହେଲାଣି। ସେଥିପାଇଁ ସାମାନ୍ୟ ଚିନ୍ତା ବଢ଼ିଛି।
-ବିନୟ ଦେହୁରୀ, ଛତୁଚାଷୀ
ବେକାରଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ
୫ବର୍ଷ ହେଲା ୫ ଜଣ ଯୁବକ ମିଳିତ ହୋଇ ଛତୁଚାଷରେ ନିୟୋଜିତ ଅଛୁ। ମାଲିକଙ୍କ ନିକଟରେ କାମ କରିବା ଭିତରେ ଏହାର କୌଶଳ ଶିଖିଗଲୁଣି। ଛତୁଚାଷରେ ବେକାର ଯୁବତୀଯୁବକଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ସରକାର ସହାୟତା, ପ୍ରୋତ୍ସାହନ ଦେଲେ ଅନେକ ଚାଷୀ ଉପକୃତ ହୋଇପାରନ୍ତେ।
-ଶମ୍ଭୁ ମୁଣ୍ଡା, ସହାୟକ

Share