Categories: ଫୁରସତ

ଆତ୍ମପରିଚୟ

କାର୍ଯ୍ୟଦକ୍ଷତା, ଉତ୍ତମ ବ୍ୟବହାର ବ୍ୟକ୍ତିତ୍ବ ଉପରେ ସକାରାତ୍ମକ ପ୍ରଭାବ ପକାଏ। ଏହି ଗୁଣ ଘରେ, ଶିକ୍ଷାନୁଷ୍ଠାନରେ, କାର୍ଯ୍ୟକ୍ଷେତ୍ରରେ ହେଉ ଅବା ସମାଜରେ ଏକ ଉତ୍ତମ ମଣିଷର ପରିଚୟ ସୃଷ୍ଟି କରେ। ତେଣୁ ଆତ୍ମପରିଚୟ ସୃଷ୍ଟି କରିବା ଲାଗି କେତେକ ବଦଗୁଣ ତ୍ୟାଗ କରିବା ସହ କେତେକ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ…

ମାର୍ଜିତ ବ୍ୟବହାର ଓ ଉତ୍ତମ କାର୍ଯ୍ୟକଳାପ ମଣିଷକୁ ଅନ୍ୟମାନଙ୍କର ହୃଦୟ ଜିଣି ସଭିଙ୍କ ପ୍ରିୟପାତ୍ର କରାଇବାରେ ସାହାଯ୍ୟ କରିଥାଏ। ହେଲେ ବେଳେବେଳେ ଅଜାଣତରେ କରୁଥିବା କେତେକ ଭୁଲ ଆପଣଙ୍କ ବ୍ୟକ୍ତିତ୍ବ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ଆତ୍ମପରିଚୟ ସୃଷ୍ଟି ପାଇଁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ଜାଣିରଖନ୍ତୁ ସେ ସମ୍ପର୍କରେ …

ବାକ୍‌ ସଞ୍ଜମ ରକ୍ଷା ସହ ମିଷ୍ଟଭାଷୀ ହୁଅନ୍ତୁ : ଅଧିକାଂଶ ଯୁବତୀଯୁବକ ଏକାଠି ହେବାମାତ୍ରେ ଗପସପରେ ମସ୍‌ଗୁଲ ହୋଇଯାଆନ୍ତି। ପାଠପଢ଼ା, ଜବ୍‌ଠୁ ଆରମ୍ଭ କରି ଅନ୍ୟମାନଙ୍କ ସମ୍ପର୍କରେ ମଧ୍ୟ ସେମାନଙ୍କ ମଧ୍ୟରେ ଚାଲେ ଆଲୋଚନା। ହେଲେ ବେଳେବେଳେ ସାଧାରଣ କଥାରେ ଜଣେ ଜଣେ ହଠାତ୍‌ ରାଗି ଯାଇ ଯୁକ୍ତିକରିବା, ବାକ୍‌ସଞ୍ଜମ ହରାଇ ଅନ୍ୟକୁ ମାନସିକ ସ୍ତରରେ ଆଘାତ ପହଞ୍ଚାଇବାକୁ ବି ପଛାନ୍ତି ନାହିଁ। ଏହାଦ୍ୱାରା ଅନ୍ୟମାନଙ୍କ ଦୃଷ୍ଟିରେ ନିଜ ପ୍ରତି କିପରି ନକାରାତ୍ମକ ଭାବନା ସୃଷ୍ଟି ହେଉଛି ସେ ଦିଗରେ ସେମାନେ ଯତ୍ନଶୀଳ ନ ଥା’ନ୍ତି। ତେଣୁ ରାଗିବା, ରାଗରେ ଏଭଳି କିଛି କଥା କହିବା ଯାହାକି ଅନ୍ୟକୁ କଷ୍ଟ ଦେବ କିମ୍ବା ନିଜର ବ୍ୟକ୍ତିତ୍ୱ ଉପରେ ଆଞ୍ଚ ଆଣିବ ଏବଂ ଆକ୍ରୋଶମୂଳକ ଆଚରଣଠାରୁ ନିଜକୁ ନିବୃତ୍ତ ରଖନ୍ତୁ ଏବଂ ମିଷ୍ଟଭାଷୀ ହୁଅନ୍ତୁ।

ଦକ୍ଷତାର ପରିଚୟ ଦିଅନ୍ତୁ: କର୍ମତତ୍ପର ଏବଂ ଦକ୍ଷତାସମ୍ପନ୍ନ ମଣିଷକୁ ସମସ୍ତେ ଭଲପାଆନ୍ତି। ତେଣୁ ପାଠପଢ଼ା ହେଉ ଅବା ଜବ୍‌ କ୍ଷେତ୍ରରେ ଅଳସୁଆ ନ ହୋଇ ନିଜର ବେଷ୍ଟ ଦେବାକୁ ଚେଷ୍ଟା କରନ୍ତୁ। ଏହା ସମସ୍ତଙ୍କ ନଜରରେ ଆପଣଙ୍କ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସାହାଯ୍ୟ କରିବ।
ଆତ୍ମପ୍ରଶଂସାଠୁ ଦୂରେଇ ରୁହନ୍ତୁ: ମଣିଷର ବ୍ୟକ୍ତିତ୍ୱ ଭଲ ହୋଇଥିଲେ ଆପେଆପେ ସମସ୍ତଙ୍କ ମୁଖରୁ ପ୍ରଶଂସା ବାହାରେ। ହେଲେ ଏମିତି ଅନେକ ଅଛନ୍ତି, ଯେଉଁମାନେ ନିଜର ପ୍ରଶଂସା ନିଜ ମୁହଁରେ ଗାଇ ବୁଲନ୍ତି। ଏମିତିକି ଆତ୍ମପ୍ରଶଂସାରେ ବିଭୋର ହୋଇ ସେମାନେ ଅନ୍ୟକୁ କିଛି କହିବାର ସୁଯୋଗ ମଧ୍ୟ ଦିଅନ୍ତି ନାହିଁ। ହେଲେ ବାରମ୍ବାର ଆତ୍ମପ୍ରଶଂସା କରିବା ଦ୍ୱାରା ପରିହାସର ପାତ୍ର ହେବାକୁ ପଡ଼ିପାରେ, ଏକଥା ଅନେକେ ଭୁଲିଯାଆନ୍ତି। ତେଣୁ କଥାରେ ନୁହେଁ, ବରଂ ନିଜ କାମକୁ ଏଭଳି କରନ୍ତୁ; ଯେପରି ତାହାହିଁ ଆପଣଙ୍କ ବ୍ୟକ୍ତିତ୍ୱର ପରିଚୟ ପାଲଟିବ।

ସଚ୍ଚୋଟ ହୁଅନ୍ତୁ: ନିଜର ଦୁର୍ବଳତାକୁ ଚିହ୍ନିବା ଏବଂ ଏହାକୁ ଘୋଡ଼ାଇବା ଲାଗି ମିଥ୍ୟାର ସାହାଯ୍ୟ ନେବା ଦ୍ୱାରା ଧୀରେ ଧୀରେ ଏହା ଅଭ୍ୟାସରେ ପରିଣତ ହୋଇଯାଏ। ଆଉ ଏହା ଯେ କେତେବେଳେ ଅନ୍ୟମାନଙ୍କ ଆଗରେ ଆପଣଙ୍କ ପର୍ସନାଲିଟିକୁ ଖରାପ କରିଦିଏ ତାହା ଜଣାପଡ଼େନି। ତେଣୁ ସବୁବେଳେ ନିଜ କାମ ଏବଂ କଥାକୁ ନେଇ ସଚ୍ଚୋଟ ହୁଅନ୍ତୁ, ଦେଖିବେ ଏହା ଆପଣଙ୍କ ଉତ୍ତମ ବ୍ୟକ୍ତିତ୍ୱର ପରିଚୟ ପାଲଟିବ।

ଠିକ୍‌ ନୁହେଁ ଅନ୍ୟର ଚର୍ଚ୍ଚା : ଅନ୍ୟର ଦୋଶ ତ୍ରୁଟି ଖୋଜି ବୁଲିବା, ପଛରେ ତାଚ୍ଛଲ୍ୟ କରିବା ଏବଂ କିଏ କ’ଣ କରୁଛି ସେ ସମ୍ପର୍କରେ ଆଲୋଚନା କରିବା ଦ୍ୱାରା ନିଜ ବ୍ୟକ୍ତିତ୍ୱ ଉପରେ ଆଞ୍ଚ ଆସିଥାଏ ଏକଥା ଅନେକେ ଭୁଲିଯାଆନ୍ତି। ସେହିପରି କାହାର ଭଲ କାର୍ଯ୍ୟରେ ପ୍ରଶଂସା କରିବା ବଦଳରେ ଏଣୁତେଣୁ କହିବା କିମ୍ବା ସହି ନ ପାରି ନିନ୍ଦା କରିବା, ନିଜର କୌଣସି ଦୋଷତ୍ରୁଟିକୁ ଅନ୍ୟ ମୁଣ୍ଡରେ ଲଦିଦେବା ଭଳି ମାନସିକତା ମଧ୍ୟ ଆପଣଙ୍କ ବ୍ୟକ୍ତିତ୍ବ ଉପରେ ଆଞ୍ଚ ଆଣିପାରେ। ତେଣୁ ଏଭଳି ଅଭ୍ୟାସଠାରୁ ନିଜକୁ ନିବୃତ୍ତ ରଖିବା ଆବଶ୍ୟକ।

ୟୁନିକ ହେବା ଭଲ: ଅନ୍ୟମାନଙ୍କଠାରୁ କିଛି ଅଲଗା କରିବାକୁ ଚେଷ୍ଟା କରନ୍ତୁ। ନିଜ ଭିତରେ ଲୁଚି ରହିଥିବା ପ୍ରତିଭାକୁ ପରିପ୍ରକାଶ କରନ୍ତୁ। ଏହା ଧୀରେ ଧୀରେ ଆଦୃତ ହେବା ଦ୍ୱାରା ଆପଣଙ୍କର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିବ। ହେଲେ ମନେରଖନ୍ତୁ ୟୁନିକ ହେବା ଆଳରେ ଏଭଳି କୌଣସି କାର୍ଯ୍ୟ କରନ୍ତୁ ନାହିଁ, ଯାହା ଆପଣଙ୍କୁ ପରିହାସର ପାତ୍ର କରାଇବ ଅବା ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ଆଞ୍ଚ ଆଣିବ।

Share