ଆତ୍ମନିର୍ଭର ଭାରତ ଅଭିମୁଖେ ବଜେଟ

ଭୁବନେଶ୍ୱର, ୪ା୨ (ବ୍ୟୁରୋ):ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ‘ଆତ୍ମନିର୍ଭର ଭାରତ ଅଭିମୁଖେ ବଜେଟ ୨୦୨୧-୨୨’ ଉପରେ ଏକ ଓ୍ବେବିନାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ପ୍ରଧାନ ପ୍ରମୁଖ ଆୟକର ଆୟୁକ୍ତ ଶରତ କୁମାର ଦାଶ ଯୋଗଦେଇ କହିଲେ, କରୋନା ମହାମାରୀ ମଧ୍ୟରେ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ କୃଷି, ସ୍ବାସ୍ଥ୍ୟ ଓ ଭିତ୍ତିଭୂମି ଉପରେ ବଜେଟରେ ଗୁରୁତ୍ୱ ଦିଆଯାଇଛି। ଜନସାଧାରଣଙ୍କ ଉପରେ କୌଣସି ବୋଝ ନ ଲଦି କରୋନା ମୁକାବିଲା ପାଇଁ ବ୍ୟୟବରାଦ ପ୍ରସ୍ତାବ ରଖିବା ସହ ଷ୍ଟାର୍ଟ ଅପ୍‌ କମ୍ପାନୀ ପାଇଁ ଟ୍ୟାକ୍ସ ହଲିଡେ ଓ ୭୫ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କ ନିମନ୍ତେ ରିଟର୍ନ ଫାଇଲ ରିହାତି ଆଦି ସ୍ବାଗତଯୋଗ୍ୟ ବୋଲି ସେ କହିଥିଲେ।
ଚାର୍ଟାର୍ଟ ଆକାଉଟାଣ୍ଟ ଅରୁଣ କୁମାର ସାବତ କହିଲେ, ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ପାଇଁ ସରକାର ବଜେଟରେ କେତେକ ସାହସିକ ପଦକ୍ଷେପ ନେଇଛନ୍ତି। ନିଅଣ୍ଟିଆ ବଜେଟ ସତ୍ତ୍ୱେ ଅନେକ ସଂସ୍କାରମୂଳକ ପଦକ୍ଷେପ ଘୋଷଣା କରାଯାଇଛି। ତେବେ ବଜେଟ ଗୃହୀତ ହେବା ପୂର୍ବରୁ ମଧ୍ୟବିତ୍ତଙ୍କ ନିମନ୍ତେ ଆଉ କେତେକ ସୁବିଧା ଦେବା ପାଇଁ ସେ ଅର୍ଥମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ବିଶିଷ୍ଟ ଅର୍ଥନୀତିଜ୍ଞ ରମଣ ଅଗ୍ରଓ୍ବାଲ ବଜେଟରେ ଘୋଷିତ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ପୁଞ୍ଜି ନିବେଶକୁ ଅଧିକ ବଳ ପ୍ରଦାନ କରିବ ବୋଲି କହିଛନ୍ତି।
ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ ଅତିରିକ୍ତ ମହାନିର୍ଦ୍ଦେଶକ ଶୈଳେଶ କୁମାର ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓ୍ବେବିନାରରେ ଆଞ୍ଚଳିକ କ୍ଷେତ୍ରପ୍ରଚାର ଭୁବନେଶ୍ୱରର ନିର୍ଦ୍ଦେଶକ ତଥା ମୁଖ୍ୟ ଅଖିଳ କୁମାର ମିଶ୍ର ଓ ଉପନିର୍ଦ୍ଦେଶକ ଡ. ଗିରୀଶ ଚନ୍ଦ୍ର ଦାଶ ଯୋଗ ଦେଇଥିଲେ। ଗଣଯୋଗାଯୋଗ ଅଧିକାରୀ ଡ. ପ୍ରଦୀପ ଚୌଧୁରୀ ଓ ସହାୟକ ସ୍ବାଧୀନ ଶକ୍ତିପ୍ରସାଦ ଓ୍ବେବିନାର ପରିଚାଳନା କରିଥିଲେ।

Share