ସେଲ୍‌ଫି ନିଶା ନେଲା ୨ ଯୁବକଙ୍କ ଜୀବନ

ରାଜଗାଙ୍ଗପୁର,୬।୬: ସେଲ୍‌ଫି ନେବା କାଳ ହୋଇଛି। ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କାଂଶବାହାଲ ଡ୍ୟାମ୍‌ରେ ଖସିପଡ଼ି ରବିବାର ୨ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ରାଉରକେଲା ଡିଏଭି ଗଳିର ସୁମନ୍ତ ଦେ(୨୫) ଏବଂ ବାସନ୍ତୀ କଲୋନୀର ପ୍ରମୋଦ ପରିଡ଼ା (୩୭)। ଉଭୟ ଡ୍ୟାମ୍‌କୁ ବୁଲିବାକୁ ଆସିଥିଲେ। ଡ୍ୟାମ୍‌ ପାର୍ଶ୍ୱରେ ଛିଡ଼ା ହୋଇ ସେଲ୍‌ଫି ନେଉଥିବା ବେଳେ ଖସି ପଡ଼ିଥିଲେ।
ଏହା ଦେଖି ପ୍ରତ୍ୟକ୍ଷଦର୍ଶୀ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ରାଜଗାଙ୍ଗପୁର ଥାନା ଓ କାଂଶବାହାଲ ଫାଣ୍ଡି ପୋଲିସ ପହଞ୍ଚତ୍ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଖୋଜାଖୋଜି କରିଥିଲେ। ପ୍ରଥମେ ପ୍ରମୋଦଙ୍କୁ ଗୁରୁତର ଅବସ୍ଥାରେ ଡ୍ୟାମ୍‌ ପାଣିରୁ ବାହାର କରି ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ ଅଗ୍ନିଶମ କର୍ମଚାରୀ ବହୁ ଖୋଜାଖୋଜି କରି ସନ୍ଧ୍ୟାରେ ସୁମନ୍ତଙ୍କ ମୃତଦେହ ଉଦ୍ଧାର କରିଥିଲେ। ସେମାନେ ରାଉରକେଲାରୁ କିପରି ଏବଂ କାହା ସହିତ ଆସିଥିଲେ ତାହା ଜଣାପଡ଼ିନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ଗତ ଜାନୁୟାରୀ ମାସରେ ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଇବ୍‌ନଦୀ କୂଳକୁ ପିକ୍‌ନିକ୍‌ କରିବାକୁ ଯାଇ ସେଲ୍‌ଫି ନେବା ବେଳେ ନଦୀରେ ଖସିପଡ଼ି ରାଜଗାଙ୍ଗପୁର ଅଞ୍ଚଳର ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା।

Share