ଚଳନ୍ତା ଟ୍ରେନ୍‌ ତଳେ ସେଲ୍ଫି ଷ୍ଟଣ୍ଟ୍‌

ଭବାନୀପାଟଣା,୨୬।୩(ସ୍ବ.ପ୍ର.): ବିପଦପୂର୍ଣ୍ଣ ସେଲ୍ଫି ଉଠାଇବା ନିଶା ଯୁବପିଢ଼ିଙ୍କୁ ଘାରିଛି। ଏଥିରେ ଜୀବନହାନି ହେଉଥିବାର ଅନେକ ନଜିର ରହିଥିଲେ ମଧ୍ୟ ସେମାନଙ୍କ ଉପରେ ପ୍ରାୟତଃ ପ୍ରଭାବ ପଡ଼ୁନାହିଁ। ଏହା ଏକପ୍ରକାର ଟ୍ରେଣ୍ଡ ଓ ପ୍ରତିଯୋଗିତା ପାଲଟିଥିବା ମନେହେଉଛି। ସୋସିଆଲ ମିଡିଆରେ ସେଲ୍ଫି ପୋଷ୍ଟ କରି ଅନ୍ୟର ଦୃଷ୍ଟି ଆକର୍ଷଣ କରିବା ପାଇଁ ସେମାନେ ଜୀବନକୁ ବାଜିରେ ଲଗାଇ ଦେଉଛନ୍ତି। ଏହାର ଏକ ଉଦାହରଣ କଳାହାଣ୍ଡିରେ ଦେଖିବାକୁ ମିଳିଛି। ଜଣେ ନାବାଳକ ଜୁନାଗଡ଼-ଭବାନୀପାଟଣା ରେଳଲାଇନ୍‌ରେ ଶୋଇ ରହି ନିଜ ଉପରେ ଟ୍ରେନ ଗଡ଼ିଯିବାର ସେଲ୍ଫି ଭିଡିଓ କରିଛନ୍ତି। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ନାବାଳକ ଜଣକ କଳାହାଣ୍ଡି ଜିଲା ଭବାନୀପାଟଣା ସହରର ବୋଲି ଜଣାପଡ଼ଛି। ଭବାନୀପାଟଣା ପୋଲିସ ପୋଲିସ ଏନେଇ ତଦନ୍ତ କରୁଛି।

Share