Categories: ଖେଳ

ମାନବାଧିକାର କୋର୍ଟରେ ସିମେନ୍ୟା ବିଜୟୀ

ଓ୍ବାଶିଂଟନ୍‌, ୧୨ା୭(ପି.ଟି.): ଦୁଇ ଥର ଅଲିମ୍ପକ୍ସ ପଦକ ବିଜୟିନୀ ଦକ୍ଷିଣ ଆଫ୍ରିକାର କାଷ୍ଟର ସିମେନ୍ୟା ହାଇ ଟେଷ୍ଟୋଷ୍ଟେରନ ମାମଲାରେ ମାନବାଧିକାର କୋର୍ଟରେ ବିଜୟୀ ହୋଇଛନ୍ତି। ଏହା ସହିତ ବିଶ୍ୱ ଆଥଲେଟିକ୍ସରେ ରହିଥିବା ଟେଷ୍ଟୋଷ୍ଟେରନ ନିୟମ ବଦଳିବାର ସମ୍ଭାବନା ସୃଷ୍ଟି ହୋଇଛି। ତେବେ ଏହି ମାମଲାଟି ସେମେନ୍ୟା ସ୍ବିଜରଲାଣ୍ଡ ସରକାରଙ୍କ ବିପକ୍ଷରେ ଲଢିଥିଲେ। ତେବେ ବିଶ୍ୱ ଆଥଲେଟିକ୍ସ ଏହି ରାୟକୁ ଗ୍ରହଣ କରିବା ପାଇଁ ବାଧ୍ୟ ଅଟେ। ଜନ୍ମରୁ ସିମେନ୍ୟା ମହିଳା ଅଟନ୍ତି। ତେବେ ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ୨୦୧୯ରେ ନୂତନ ନିୟମ ଲାଗୁ ହେବା ପରେ ସିମେନ୍ୟାଙ୍କ ଅଂଶଗ୍ରହଣ ଉପରେ ଆଶଙ୍କା ଦେଖା ଦେଇଥିଲା। ହରମୋନ୍‌ ନିୟନ୍ତ୍ରଣ ପାଇଁ ସପ୍ରେସର ବ୍ୟବହାର କରିବାକୁ ସିମେନ୍ୟା ମନା କରିବା ସହିତ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାକୁ କୋର୍ଟ ଖାରଜ କରି ଦେଇଥିଲେ। ୨୦୨୦ରେ ଦ୍ୱିତୀୟ ଥର ସ୍ବିଜରଲ୍ୟାଣ୍ଡ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ସିମେନ୍ୟା। ସେତେବେଳେ ଏହି ଆବେଦନକୁ ଖାରଜ କରି ଦିଆଯାଇଥିଲା। ଏହାପରେ ଷ୍ଟ୍ରାସବର୍ଗରେ ଥିବା ମାନବାଧିକାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସେମେନ୍ୟା। ୭ ଜଣିଆ ଖଣ୍ଡପୀଠ ମାମଲାର ବିଚାର କରିଥିବା ବେଳେ ସେମେନ୍ୟାଙ୍କ ସପକ୍ଷରେ ୪-୩ରେ ରାୟ ଆସିଥିଲା। ୮୦୦ ମିଟର ଦୌଡରେ ସିମେନ୍ୟା ୨୦୧୨ ଓ ୨୦୧୬ରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ୨୦୨୧ ଟୋକିଓ ଅଲିମ୍ପିକ୍ସରେ ସେ ଅଂଶଗ୍ରହଣ କରି ନ ଥିଲେ।

Share