ବେଙ୍ଗାଲୁରୁ,୧୪।୧୧(ପି.ଟି.): ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲ ମ୍ୟାଚ୍ ପାଇଁ ଭାରତୀୟ କ୍ରିକେଟ ଦଳ ଉପରେ ଚାପ ରହିବ ବୋଲି କହିଛନ୍ତି ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡ୍। ବୁଧବାରର ମ୍ୟାଚ୍ ଉଭୟ ଦଳ ପାଇଁ ସମାନ ଭାବରେ ଚାପ ସୃଷ୍ଟି କରିବ ତେଣୁ ଏହାକୁ ସ୍ବୀକାର କରିବାରେ କୌଣସି ଅସୁବିଧା ନାହିଁ ବୋଲି ଡ୍ରାଭିଡ କହିଛନ୍ତି। କ୍ରିକେଟରେ କୌଣସି ମ୍ୟାଚ ଆପଣଙ୍କୁ ଶତ ପ୍ରତିଶତ ଗ୍ୟାରେଣ୍ଟି ପ୍ରଦାନ କରି ନ ଥାଏ। ତେଣୁ ଆମକୁ ଶ୍ରେଷ୍ଠ ପ୍ରସ୍ତୁତି ସହ ପଡ଼ିଆକୁ ଓହ୍ଲାଇବାକୁ ପଡ଼ିବ। ନିରନ୍ତର ଭାବେ ଆମେ ଏହା କରିବା ସହିତ ୯ଟି ଯାକ ଲିଗ୍ ମ୍ୟାଚ୍ରେ ବିଜୟୀ ହୋଇଛୁ। ଆଉ ଥରେ ଏଭଳି କରିବା ଦ୍ୱାରା ଆମେ ଫାଇନାଲରେ ପହଞ୍ଚି ପାରିବୁ। ବର୍ତ୍ତମାନ ସମସ୍ତେ ଭାରତୀୟ ଦଳର ପ୍ରଶଂସା କରୁଥିବା ବେଳେ ଗୋଟିଏ ଖରାପ ମ୍ୟାଚ୍ ହିଁ ସମସ୍ତଙ୍କ ମତାମତ ପରିବର୍ତ୍ତନ କରିବା ପାଇଁ ଯଥେଷ୍ଟ। ତେବେ ଟୁର୍ନାମେଣ୍ଟର ଶେଷ ଆଡକୁ ଶ୍ରେୟସ ଆୟର ଫର୍ମକୁ ଫେରିବା ଆମ ପାଇଁ ଶୁଭ ସଙ୍କେତ ବୋଲି ଡ୍ରାଭିଡ୍ କହିଛନ୍ତି। ଆୟର ଭାରତୀୟ ମଧ୍ୟକ୍ରମ ବ୍ୟାଟିଂର ମେରୁଦଣ୍ଡ। ବିଗତ ୧୦ ବର୍ଷ ମଧ୍ୟରେ ଆମକୁ ୪ ନମ୍ବର ସ୍ଥାନରେ ମିଳିଥିବା ଶ୍ରେଷ୍ଠ ବ୍ୟାଟର ହେଉଛନ୍ତି ଆୟର। ତେଣୁ ସେ ଫର୍ମକୁ ଫେରିବା ଦ୍ୱାରା ଭାରତୀୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ଡ୍ରାଭିଡ୍।