Categories: ଖେଳ

ସେମି ଲାଇନ୍‌ଅପ୍‌ ଚୂଡାନ୍ତ

ବୁଏନ୍ସ ଏୟାର୍ସ, ୬ା୬(ପି.ଟି.): ଆର୍ଜେଣ୍ଟିନାରେ ଅନୁଷ୍ଠିତ ୨୦ ବର୍ଷରୁ କମ୍‌ ଫୁଟବଲ ବିଶ୍ୱକପର ସେମିଫାଇନାଲ ଲାଇନ୍‌ ଅପ୍‌ ଚୂଡାନ୍ତ ହୋଇଛି। ରବିବାର ବିଳମ୍ବିତ ରାତ୍ରିରେ ଅନୁଷ୍ଠିତ ମ୍ୟାଚକୁ ଜିତିବା ସହ ଉରୁଗୁଏ ଓ ଦକ୍ଷିଣ କୋରିଆ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପୂର୍ବରୁ ପ୍ରଥମ ଦୁଇ ଦଳ ଭାବରେ ଇସ୍ରାଏଲ ଓ ଇଟାଲୀ ସେମିରେ ପ୍ରବେଶ କରି ସାରିଛନ୍ତି। ରବିବାର ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଉରୁଗୁଏ ୨-୦ ଗୋଲରେ ଯୁକ୍ତରାଷ୍ଟ୍ର ଆମେରିକାକୁ ପରାସ୍ତ କରିଥିଲା। ସେହିପରି ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଦକ୍ଷିଣ କୋରିଆ ୧-୦ ଗୋଲରେ ନାଇଜେରିଆକୁ ପରାସ୍ତ କରିଥିଲା। ଗୁରୁବାର ଇସ୍ରାଏଲ-ଉରୁଗୁଏ ଓ ଦକ୍ଷିଣ କୋରିଆ-ଇଟାଲୀ ମଧ୍ୟରେ ସେମିଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ।
ଚଳିତ ଟୁର୍ନାମେଣ୍ଟରେ ଗୋଟିଏ ବି ଗୋଲ ବରଣ କରି ନ ଥିବା ଆମେରିକା ସକାରାତ୍ମକ ଭାବରେ ଉରୁଗୁଏ ବିପକ୍ଷରେ ଅଭିଯାନ ଆରମ୍ଭ କରିଥିଲା। ଏଷ୍ଟାଡିଓ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚର ୨୧ ତମ ମିନିଟରେ ଉରୁଗୁଏ ପକ୍ଷରୁ କାଉଣ୍ଟର ଆଟାକ୍‌ କରାଯାଇ ପ୍ରଥମ ଗୋଲ ସ୍କୋର କରାଯାଇଥିଲା। ଆମେରିକା ଗୋଲକିପର ପୋଷ୍ଟ ବାହାରକୁ ଯାଇଥିବା ବେଳେ ଖାଲି ଗୋଲ ପୋଷ୍ଟକୁ ବଲ୍‌ ମାରି ଗୋଲ ସ୍କୋର କରିଥିଲେ ଆଣ୍ଡରସନ୍‌ ଡୁରାଟେ। ଏହା ସହିତ ଆମେରିକା ଟୁର୍ନାମେଣ୍ଟର ପ୍ରଥମ ଗୋଲ ବରଣ କରିଥିଲା। ଆମେରିକା ପକ୍ଷରୁ ଗୋଲ ଶୁଝାଇବାକୁ ପ୍ରୟାସ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା। ୫୬ ତମ ମିନିଟରେ ଆମେରିକାର ଜୋଶୁଆ ଓ୍ବାଇଣ୍ଡରଙ୍କ ଆତ୍ମଘାତୀ ଗୋଲ ବଳରେ ଆମେରିକା ୨-୦ରେ ପଛୁଆ ରହି ଯାଇଥିଲା। ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ୨୦୧୯ ସଂସ୍କରଣ ରନର୍‌ ଅପ୍‌ ଦକ୍ଷିଣ କୋରିଆ ସେମି ଫାଇନାଲରେ ପ୍ରବେଶ କରିଥିଲା। ନାଇଜେରିଆ ବିପକ୍ଷ ମ୍ୟାଚଟି ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା। ମ୍ୟାଚ୍‌ଟି ନିର୍ଦ୍ଧାରିତ ସମୟରେ ଗୋଲ ଶୂନ୍ୟ ରହିଥିଲା। ଅତିରିକ୍ତ ସମୟରେ ସେଓକ୍‌ ହ୍ୟୁନ୍‌ ଚୋଇଙ୍କ ହେଡରରେ ଦକ୍ଷିଣ କୋରିଆ ମ୍ୟାଚ୍‌କୁ ଜିତି ନେଇଥିଲା।

Share