Categories: ଖେଳ

ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ

ଭୁବନେଶ୍ୱର, ୨୮।୧୨ (ତପନ ସ୍ବାଇଁ): କ୍ଲବ-୭୩ର ସୁବର୍ଣ୍ଣ ଜୟନ୍ତି ପାଳନ ଅବସରରେ ୟୁନିଟ-୧ସ୍ଥିତ ଭୁବନେଶ୍ୱର ଫୁଟବଲ ଏକାଡେମୀ ପଡ଼ିଆରେ ଚାଲିଥିବା ସତ୍ୟବ୍ରତ ମହାପାତ୍ର ସ୍ମାରକୀ ଅଲ୍‌ ଓଡ଼ିଶା ଫୁଟବଲ ଟୁର୍ନାମେଣ୍ଟରେ ବୁଧବାର ୨ଟି ଲିଗ୍‌ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏଥିସହ ପ୍ରତିଯୋଗିତାର ସେମିଫାଇନାଲ ଲାଇନ୍‌ଅପ୍‌ ହୋଇଛି। ଗୁରୁବାର ପ୍ରଥମ ସେମିଫାଇନାଲରେ କିଶୋର କ୍ଲବ-ସନ୍‌ରାଇଜ୍‌ କ୍ଲବ ଏବଂ ଦ୍ୱିତୀୟ ସେମିରେ ରାଇଜିଂ ଷ୍ଟୁଡେଣ୍ଟ ଓ ଇଣ୍ଡିପେଣ୍ଡଣ୍ଟ କ୍ଲବ ମଧ୍ୟରେ ମୁକାବିଲା ହେବ। ଦିବସର ପ୍ରଥମ ମ୍ୟାଚରେ କଟକର ଇଣ୍ଡିପେଣ୍ଡଣ୍ଟ କ୍ଲବ ବିଜୟୀ ହୋଇଛି। ଏହି ଦଳ ୨-୧ ଗୋଲରେ ଫୁଲବାଣୀ ଫୁଟବଲ ଏକାଡେମୀକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ମହମ୍ମଦ ଆଫ୍ରିଦୀ ୫ମ ଓ ବିକାଶ ପରିହାରି ୬୨ତମ ମିନିଟରେ ଏବଂ ପରାଜିତ ଦଳର ଲିଓନ ୫୨ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଇଣ୍ଡିପେଣ୍ଡଣ୍ଟ କ୍ଲବର ବିକାଶ ପରିହାରୀ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ସ୍ପୋଟର୍‌ସ ଏମ୍ପୋରିୟମ ଏମ୍‌ଡି ରୌନକ ଧୁପର ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ରେଫରି ଆଶୀର୍ବାଦ କାନୁନ୍‌ଗୋ, ପ୍ରଦୀପ୍ତ ନାୟକ, ସୁବ୍ରତ ପୁରୋହିତ ଓ ଅରୁଣ କୁମାର ନାୟକ ମ୍ୟାଚ ପରିଚାଳନା କରିଥିଲେ। ସୁଶାନ୍ତ ଚନ୍ଦ୍ର ମହାନ୍ତି ମ୍ୟାଚ କମିଶନର ଦାୟିତ୍ୱ ନିର୍ବାହ କରିଥିଲେ। ଦିବସର ଦ୍ୱିତୀୟ ମ୍ୟାଚରେ କଟକର ସନ୍‌ରାଇଜ୍‌ କ୍ଲବ ୫-୧ ଗୋଲରେ ସମ୍ବଲପୁର ଫୁଟବଲ ଏକାଡେମୀକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ବାପୁନି ବିନ୍ଧାଣୀ ୩୬ ଓ ୫୯ତମ ମିନିଟରେ ୨ଟି ଏବଂ ଇମାନୁଏଲ୍‌ ୧୭ଶ, ଆର୍ନୋଲ୍ଡ ୪୫ ଓ ଜିତୁ ମୁଦୁଲି ୫୦ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ସମ୍ବଲପୁର ଏକାଡେମୀର ରାଇସନ ମାରାଣ୍ଡି ୪୩ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ। ବାପୁନି ବିନ୍ଧାଣୀଙ୍କୁ ଅତିଥି ଶିଳ୍ପପତି ସନ୍ତୋଷ ମହାନ୍ତି ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।

 

Share