Categories: ଖେଳ

ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ

ନୂଆଦିଲ୍ଲୀ,୨୮ା୨: ରଣଜୀ ଟ୍ରଫି ୨୦୨୪ର ସେମିଫାଇନାଲ ଲାଇନଅପ୍‌ ଚୂଡାନ୍ତ ହୋଇଛି। ମାର୍ଚ୍ଚ ୨ ତାରିଖରେ ବିଦର୍ଭ ଓ ମଧ୍ୟପ୍ରଦେଶ ମଧ୍ୟରେ ପ୍ରଥମ ସେମିଫାଇନାଲ ଓ ମୁମ୍ବାଇ ଓ ତାମିଲନାଡୁ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। କ୍ୱାର୍ଟର ଫାଇନାଲରେ ବିଦର୍ଭ ୧୨୭ ରନ୍‌ରେ କର୍ନାଟକକୁ ପରାସ୍ତ କରିଥିବା ବେଳେ ବରୋଦା ବିପକ୍ଷରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ମୁମ୍ବାଇ ସେମିରେ ପ୍ରବେଶ କରିଥିଲା। ଅନ୍ୟପକ୍ଷରେ ତାମିଲନାଡୁ ଏକ ଇନିଂସ ଓ ୩୩ ରନ୍‌ରେ ସୌରାଷ୍ଟ୍ରକୁ ହରାଇଥିବା ବେଳେ ମଧ୍ୟପ୍ରଦେଶ ୪ ରନ୍‌ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା।
ମୁମ୍ବାଇ ବନାମ ବରୋଦା
ମୁଶିର୍‌ ଖାନଙ୍କ ଦ୍ୱିଶତକ ଓ ଶାମ୍ସ ମୁଲାନୀଙ୍କ ୪ ଉଇକେଟ ସଫଳତା ବଳରେ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଥିବା ମୁମ୍ବାଇ ସେମି ଫାଇନାଲରେ ପ୍ରବେଶ କରିଛି। ମୁମ୍ବାଇ ପ୍ରଥମ ଇନିଂସରେ ୩୮୪ ରନ୍‌ କରିଥିବା ବେଳେ ବରୋଦା ୩୪୮ ରନ୍‌ରେ ସୀମିତ ରହିଥିଲା। ଦ୍ୱିତୀୟ ଇନିଂସରେ ହାର୍ଦ୍ଦିକ ତାମୋରଙ୍କ ୧୧୪, ତନୁଷ କୋଟିଆନଙ୍କ ଅପରାଜିତ ୧୨୦ ଓ ତୁଷାର ଦେଶପାଣ୍ଡେଙ୍କ ୧୨୩ ରନ୍‌ ବଳରେ ମୁମ୍ବାଇ ୫୬୯ ରନ୍‌ ସ୍କୋର କରିଥିଲା। ୩୦ ଓଭରରେ ବରୋଦା ୩ ଉଇକେଟରେ ୧୨୧ ରନ୍‌ କରିଥିବା ବେଳେ ମ୍ୟାଚ୍‌ ଅମୀମାଂସିତ ରହିଥିଲା।
କର୍ନାଟକ ବନାମ ବିଦର୍ଭ
ଆଦିତ୍ୟ ସରଓ୍ବତେ ଓ ହର୍ଷ ଦୁବେଙ୍କ ବୋଲିଂ ସଫଳତା ବଳରେ କର୍ନାଟକକୁ ୧୨୭ ରନ୍‌ରେ ପରାସ୍ତ କରିଛି ବିଦର୍ଭ। ୩୭୧ ରନ୍‌ ଲକ୍ଷ୍ୟର ପିଛା କରୁଥିବା କର୍ନାଟକ ୨୪୩ ରନ୍‌ରେ ଅଲଆଉଟ ହୋଇଥିଲା। ଅଧିନାୟକ ମୟଙ୍କ ଅଗ୍ରଓ୍ବାଲ ୭୦ ରନ୍‌ ସ୍କୋର କରିଥିବା ବେଳେ ଆଦିତ୍ୟ ସରଓ୍ବତେ ଓ ହର୍ଷ ଦୁବେ ୪ଟି ଲେଖାଏ ଉଇକେଟ ନେଇଥିଲେ।
ମଧ୍ୟପ୍ରଦେଶ ବନାମ ଆନ୍ଧ୍ରପ୍ରଦେଶ
ଆନ୍ଧ୍ରପ୍ରଦେଶ ବିପକ୍ଷରେ ସଂଘର୍ଷପୂର୍ଣ୍ଣ ୪ ରନ୍‌ରେ ବିଜୟୀ ହେବା ସହ ସେମିରେ ପ୍ରବେଶ କରିଛି ମଧ୍ୟପ୍ରଦେଶ। ଅନୁଭବ ଅଗ୍ରଓ୍ବାଲଙ୍କ ୬ ଉଇକେଟ ସଫଳତା କାରଣରୁ ଆନ୍ଧ୍ର ପ୍ରଦେଶ ୧୬୫ ରନ୍‌ରେ ଅଲଆଉଟ ହୋଇଥିଲା। ହନୁମା ବିହାରୀ ଆନ୍ଧ୍ର ପକ୍ଷରୁ ସର୍ବାଧିକ ୫୫ ରନ୍‌ ସ୍କୋର କରିଥିଲେ।
ସୌରାଷ୍ଟ୍ର ବନାମ ତାମିଲନାଡୁ
ସୌରାଷ୍ଟ୍ରକୁ ଏକ ଇନିଂସ ଓ ୩୩ ରନ୍‌ରେ ପରାସ୍ତ କରି ସେମି ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି ତାମିଲନାଡୁ। ସୌରାଷ୍ଟ୍ର ପ୍ରଥମ ଇନିଂସରେ ୧୮୩ ରନ୍‌ କରିଥିବା ବେଳେ ତାମିଲନାଡୁ ୩୩୮ ରନ୍‌ କରିଥିଲା। ସୌରାଷ୍ଟ୍ର ଦ୍ୱିତୀୟ ଇନିଂସ ମାତ୍ର ୧୨୨ରେ ସୀମିତ ରହିଥିଲା। ଚେତେଶ୍ୱର ପୂଜାରା ପ୍ରଥମ ଇନିଂସ୍‌ରେ ମାତ୍ର ୨ ରନ୍‌ କରିଥିଲେ।

Share