Categories: ଖେଳ

ସେମିରେ ସାବାଲେଙ୍କା, ଜାବେର୍‌

ଓ୍ବିମ୍ବେଲଡନ୍‌, ୧୩ା୭: ଟେନିସ୍‌ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଓ୍ବିମ୍ବେଲଡନ୍‌ର ମହିଳା ସିଙ୍ଗଲ୍ସ ସେମି ଫାଇନାଲରେ ପ୍ରବେଶ କରିଛନ୍ତି ଆରିନା ସାବାଲେଙ୍କା ଓ ଓନ୍ସ ଜାବେର୍‌। ବୁଧବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ବେଲାରୁଷର ଆରିନା ସାବାଲେଙ୍କା ୬-୨, ୬-୪ର ସିଧାସଳଖ ସେଟ୍‌ରେ ଆମେରିକାର ମାଡିସନ୍‌ କିସ୍‌ଙ୍କୁ ପରାସ୍ତ କରିଛନ୍ତି। ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ସାବାଲେଙ୍କା ପ୍ରାଧାନ୍ୟ ବିସ୍ତାର କରି ଖେଳିବା ସହିତ କ୍ୟାରିୟରେ ଅଷ୍ଟମ ଥର ପାଇଁ ଏକ ଗ୍ରାଣ୍ଡସ୍ଲାମ ସେମି ଫାଇନାଲରେ ପ୍ରବେଶ କରିଥିଲେ। ଅନ୍ୟ ପକ୍ଷରେ କ୍ୟାରିୟରରେ ପଞ୍ଚମ ଥର ଗ୍ରାଣ୍ଡସ୍ଲାମ ଲକ୍ଷ୍ୟରେ ଥିବା ମାଡିସନ୍‌ଙ୍କୁ ନିରାଶ ହେବାକୁ ପଡିଛି। ଚଳିତ ବର୍ଷ ସାବାଲେଙ୍କା ଅଷ୍ଟ୍ରେଲିଆନ୍‌ ଓପନ ବିଜୟୀ ହୋଇଥିବା ବେଳେ ଫ୍ରେଞ୍ଚ ଓପନ ସେମି ଫାଇନାଲରେ ପ୍ରବେଶ କରିଥିଲେ।
ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ କାଜାଖସ୍ତାନର ଏଲିନା ରିବାକିନାଙ୍କୁ ବିଦା କରିଛନ୍ତି ଓନ୍ସ ଜାବେର। ୨୦୨୨ ଓ୍ବିମ୍ବେଲଡନ୍‌ ଫାଇନାଲରେ ରିବାକିନାଙ୍କ ନିକଟରୁ ପରାଜିତ ହୋଇଥିବା ବେଳେ ଚଳିତ ବର୍ଷ ସେ ଏହାର ମଧୁର ପ୍ରତିଶୋଧ ନେଇଛନ୍ତି। ୬-୭(୫-୭), ୬-୪ ଓ ୬-୧ରେ ଜାବେର ଏହି ମ୍ୟାଚ୍‌କୁ ଜିତି ନେଇଥିଲେ। ପ୍ରଥମ ସେଟ୍‌ଟି ଟାଇବ୍ରେକରକୁ ଯାଇଥିବା ବେଳେ ବିଶ୍ୱ ମାନ୍ୟତାର ୩ ନମ୍ବର ସ୍ଥାନରେ ଥିବା ରିବାକିନା ଏହାକୁ ଜିତି ନେଇଥିଲେ। ତେବେ ପରବର୍ତ୍ତୀ ଦୁଇ ସେଟ୍‌କୁ ଅନାୟାସରେ ଜିତିବା ସହିତ ତୃତୀୟ ଗ୍ରାଣ୍ଡସ୍ଲାମ ସେମି ଫାଇନାଲରେ ପ୍ରବେଶ କରିଥିଲେ ଜାବେର। ଗୁରୁବାର ହେବାକୁ ଥିବା ପ୍ରଥମ ସେମି ଫାଇନାଲ ମୁକାବିଲାରେ ଓନ୍ସ ଜାବେର ଓ ଆରିନା ସାବାଲେଙ୍କା ପରସ୍ପର ବିପକ୍ଷରେ ଖେଳିବେ। ଦ୍ୱିତୀୟ ସେମିରେ ୟୁକ୍ରେନର ଏଲିନା ସ୍ବିତୋଲିନା ଓ ରୁଷିଆର ମାର୍କେଟା ଭୋନ୍ଦ୍ରୋସୋଭା ପରସ୍ପର ସହିତ ଖେଳିବେ।

Share