୧୦ ଦିନ ଲାଗି ୨୫ ଲକ୍ଷ ଟିକା ପଠାଅ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୪(ବ୍ୟୁରୋ): ସ୍ବଳ୍ପ ପରିମାଣ ଏବଂ ଅନିୟମିତ ଟିକା ଯୋଗାଣ ଯୋଗୁ ରାଜ୍ୟରେ କୋଭିଡ୍‌-୧୯ ଟିକାକରଣ କାର୍ଯ୍ୟକ୍ରମ ପ୍ରଭାବିତ ହେଉଛି। ସମସ୍ୟାର ତ୍ୱରିତ ସମାଧାନ ପାଇଁ ୧୦ଦିନ ଲାଗି ପ୍ରାୟ ୨୫ ଲକ୍ଷ କୋଭାଶିଲ୍ଡ ଡୋଜ୍‌ ଜରୁରିକାଳୀନ ଭିତ୍ତିରେ ଯୋଗାଇଦେବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ରାଜ୍ୟରେ ଦୈନିକ ଟିକାକରଣର କ୍ଷମତା ରହିଛି ୩ ଲକ୍ଷ। ଏହି ସମୟରେ ରାଜ୍ୟକୁ ୨ରୁ ୩ ଲକ୍ଷ ଡୋଜ୍‌ ଟିକା ମିଳୁଛି। ରାଜ୍ୟ ଭାକ୍ସିନ ଷ୍ଟୋରରୁ ଆଞ୍ଚଳିକ ଭାକ୍ସିନ୍‌ ସବ୍‌ସେଣ୍ଟର ଓ ଜିଲା ଭାକ୍ସିନ ସେଣ୍ଟରରେ ପହଞ୍ଚତ୍ବାକୁ ଏହାକୁ ୩ ଦିନ ଲାଗିଯାଉଛି। ଏଭଳି ଅନିୟମିତ ଟିକାଯୋଗାଣ ପାଇଁ କମ୍ୟୁନିଟି ସେଣ୍ଟରଗୁଡିକରେ ଯୋଜନା ମୁତାବକ ଟିକାଦାନ କାର୍ଯ୍ୟକ୍ରମ ସମ୍ଭବ ହୋଇପାରୁ ନାହିଁ। ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ୫୦ଲକ୍ଷ ୭୯ ହଜାର ୬୫୦ ଡୋଜ୍‌ ଟିକା ଯୋଗାଇ ଦିଆଯାଇଛି। ଏଥିମଧ୍ୟରୁ ୪୫ ଲକ୍ଷ ୪୨ ହଜାର ୮୭୦ ଡୋଜ୍‌ କୋଭାଶିଲ୍ଡ ଏବଂ ଅବଶିଷ୍ଟ ୫ ଲକ୍ଷ ୩୬ ହଜାର ୭୮୦ କୋଭାକ୍ସିନ ଟିକା। ବର୍ତ୍ତମାନ ରାଜ୍ୟ, ଜିଲା ତଥା ବ୍ଲକସ୍ତରୀୟ ଟିକାକରଣ କେନ୍ଦ୍ରଗୁଡ଼ିକରେ କୋଭାଶିଲ୍ଡ ଟିକା ନାହିଁ। ୧ ଲକ୍ଷ ୭୪ ହଜାର ୪ ଡୋଜ୍‌ କୋଭାଶିଲ୍ଡ ଓ ୨ ଲକ୍ଷ ୪୯ ହଜାର ୧୯୬ ଡୋଜ୍‌ କୋଭାକ୍ସିନ ଟିକା ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଛି।

Share