Categories: ଜାତୀୟ

ମଣିପୁରକୁ ସର୍ବଦଳୀୟ ପ୍ରତିନିଧି ପଠାଅ: କଂଗ୍ରେସ

ନୂଆଦିଲ୍ଲୀ, ୧୩ା୬: ହିଂସା ପ୍ରବଣ ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ହେଲେ ସେଠାକୁ ସର୍ବଦଳୀୟ ପ୍ରତିନିଧି ପଠାଇବାକୁ ସୋମବାର କଂଗ୍ରେସ ଦାବି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତି ମାସରେ ମନ୍‌ କୀ ବାତ୍‌ କରୁଥିବାବେଳେ ଅନ୍ତତଃ ଥରେ ‘ମଣିପୁର କୀ ବାତ୍‌’ କରନ୍ତୁ ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି। ପ୍ରଧାନମନ୍ତ୍ରୀ ମଣିପୁର ହିଂସା ପ୍ରସଙ୍ଗରେ ନୀରବତା ଭଙ୍ଗ କରି ସେଠାକୁ ଯିବା ପାଇଁ ଜୟରାମ ପରାମର୍ଶ ଦେଇଛନ୍ତି। ମଣିପୁର ସଂଘର୍ଷ ପାଇଁ କଂଗ୍ରେସ ରାଜ୍ୟ ପ୍ରଶାସନକୁ ଦାୟୀ କରିଛି। ସର୍ବଦଳୀୟ ପ୍ରତିନିଧି ଦଳ ମଣିପୁର ଜନସାଧାରଣଙ୍କ ମଧ୍ୟରେ ଆସ୍ଥା ସଞ୍ଚାର କରିପାରିବ ଓ ସେମାନଙ୍କ ଦୁଃଖ ସମୟରେ ଦେଶ ସେମାନଙ୍କ ସହ ରହିଥିବାର ବାର୍ତ୍ତା ଦେବ। ଏହା କେବଳ ମଣିପୁର ଜନସାଧାରଣଙ୍କ ପ୍ରସଙ୍ଗ ନୁହେଁ, ଜାତୀୟ ପ୍ରସଙ୍ଗ ବୋଲି ଜୟରାମ କହିଛନ୍ତି। ମଣିପୁର ହିଂସାରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ହଜାର ହଜାର ଲୋକ ଘରଦ୍ୱାର ଛାଡ଼ି ରିଲିଫ କ୍ୟମ୍ପ୍‌ରେ ଆଶ୍ରୟ ନେଇଛନ୍ତି। ସେଠାରେ ସ୍ଥିତି ବିପର୍ଯ୍ୟୟ ହୋଇଥିବାବେଳେ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁନାହିଁ। ଜାତୀୟ ରାଜପଥ ଅବରୋଧ ଯୋଗୁ ଯୋଗାଣ ବାଧାପ୍ରାପ୍ତ ହୋଇଥିବା କଂଗ୍ରେସ ନେତା ଭକ୍ତ ଚରଣ ଦାସ କହିଛନ୍ତି। କେନ୍ଦ୍ର ସରକାର ବିମାନ ଯୋଗେ ସେଠାକୁ ଅତ୍ୟାବଶ୍ୟକ ସାମଗ୍ରୀ ପଠାଇବାକୁ ସେ ଦାବି କରିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ରାଜ୍ୟରେ ଶାନ୍ତି ଫେରାଇବାରେ ସହାୟକ ହୋଇପାରିବ ବୋଲି ଭକ୍ତ ଆଶାବ୍ୟକ୍ତ କରିଛନ୍ତି।

Share