Categories: Uncategorized

ରାହୁଲ ଗାନ୍ଧୀଙ୍କୁ ସ୍କୁଲ ପଠାଯାଉ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୯।୩: ମଙ୍ଗଳବାର ଲୋକସଭାରେ କେନ୍ଦ୍ର ପଶୁପାଳନ, ଦୁଗ୍ଧ ଏବଂ ମତ୍ସ୍ୟ ବିଭାଗର ମନ୍ତ୍ରୀ ଗିରିରାଜ ସିଂ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କୁ ଘେରିଛନ୍ତି। ଗିରିରାଜ ସିଂ ରାହୁଲ ଗାନ୍ଧୀଙ୍କ ଅଲଗା ମତ୍ସ୍ୟ ମନ୍ତ୍ରଣାଳୟ ଗଠନ ଦାବିକୁ ନେଇ କହିଥିଲେ ଯେ ରାହୁଲଙ୍କୁ ଏକ ସ୍କୁଲକୁ ପଠାଯିବା ଆବଶ୍ୟକ। ଏହାଦ୍ୱାରା ସେ ଭାରତ ସରକାରଙ୍କ ଅଧୀନରେ କେଉଁ ବିଭାଗ କାର୍ଯ୍ୟ କରୁଛି ସେ ସମ୍ପର୍କରେ ସୂଚନା ପାଇପାରିବେ।
ଲୋକସଭାରେ ପ୍ରଶ୍ନ ଘଣ୍ଟା ସମୟରେ ଗିରିରାଜ ସିଂ ତାଙ୍କ ମନ୍ତ୍ରଣାଳୟ ସହ ଜଡିତ ସୁନୀତା ଡଗଗାଲଙ୍କ ସପ୍ଲିମେଣ୍ଟାରୀ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ମୁଁ ଜାଣେ ନାହିଁ ରାହୁଲଙ୍କ ସ୍ମୃତିଶକ୍ତି ଅଛି କି ନାହିଁି। କିନ୍ତୁ ରାହୁଲ ପୁଡୁଚେରୀ ଏବଂ କୋଚି ଯାଇ ମତ୍ସ୍ୟ ବିଭାଗ ନାହିଁ ବୋଲି କହିଥିଲେ। ଯଦି ମୁଁ ସରକାରକୁ ଆସେ, ମୁଁ ଏହା ପାଇଁ ଏକ ଅଲଗା ମନ୍ତ୍ରଣାଳୟ ଗଠନ କରିବି ବୋଲି କହିଥିଲେ। ଏପଟେ ଆଉ ଏକ ସଭାରେ ରାହୁଲ କେନ୍ଦ୍ର ମତ୍ସ୍ୟ ବିଭାଗ ମତ୍ସ୍ୟଜୀବୀଙ୍କୁ ପ୍ରତାରଣା କରିଛି ବୋଲି କହୁଛନ୍ତି। ତେବେ ସେ ଏପରି କାହିଁକି କହୁଛନ୍ତି ମୁଁ ଜାଣେ ନାହିଁ, କିନ୍ତୁ କଂଗ୍ରେସ ନେତା ସ୍କୁଲକୁ ପଠାଯିବା ଠିକ୍‌ ହେବ ବୋଲି ଗିରିରାଜ କହିଛନ୍ତି।