ଗତ ମେ ୨୮ରେ ଦେଶର ରାଜଧାନୀ ଦିଲ୍ଲୀରେ ଦୁଇଟି ଗୁରୁତ୍ତ୍ୱପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଲା। ପ୍ରଥମ ଘଟଣାଟି ଗଣତନ୍ତ୍ରର ମନ୍ଦିର ବୋଲି କୁହାଯାଉଥିବା ସଂସଦର ନୂତନ ଭବନ ଉଦ୍ଘାଟନ ନାଁରେ ଶାସକୀୟ ଅହଂକାର ଓ ରାଜତନ୍ତ୍ରର ନଗ୍ନ ପ୍ରଦର୍ଶନ ଥିଲା ବେଳେ ଅନ୍ୟଟି ତା’ର ଅନତି ଦୂରରେ ଯନ୍ତରମନ୍ତରଠାରେ ଘଟିଥିଲା। ଭାଜପାର ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇ ନ୍ୟାୟ ପାଇଁ ଦୀର୍ଘ ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଧାରଣାରେ ବସିଥିବା ମହିଳା କ୍ରୀଡ଼ାବିତ୍ମାନଙ୍କ ଉପରେ ଦିଲ୍ଲୀ ପୋଲିସ ଅତ୍ୟନ୍ତ ଅମାନୁଷିକ ଭାବେ ବଳପ୍ରୟୋଗ କରି ସେମାନଙ୍କୁ ଧାରଣା ସ୍ଥଳରୁ ହଟେଇ ଦେଇଥିଲା। ଲଜ୍ଜାଜନକ କଥା ହେଲା, ଏଯାଏ କେନ୍ଦ୍ର ସରକାରଙ୍କ ଦ୍ୱାରା ସୁରକ୍ଷା ପାଇ ଆସିଥିବା ସମ୍ପୃକ୍ତ ବାହୁବଳୀ ସାଂସଦ ଜଣକ ନୂତନ ସଂସଦ ଭବନରେ ଅନୁଷ୍ଠିତ ଉତ୍ସବରେ ଉପସ୍ଥିତ ଥିବାବେଳେ ଅଲିମ୍ପିକ୍ ଖେଳରେ ପଦକ ହାସଲ କରି ଦେଶର ଗୌରବ ବୃଦ୍ଧି କରିଥିବା ମହିଳା କୁସ୍ତି ଖେଳାଳିମାନେ ପୋଲିସର ଅମାନୁଷିକ ବ୍ୟବହାରର ଶିକାର ହୋଇ ଭୋ ଭୋ ହୋଇ କାନ୍ଦୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।
ତେବେ ଅତ୍ୟନ୍ତ ଜାକଜମକରେ ଅନୁଷ୍ଠିତ ନୂତନ ସଂସଦ ଭବନର ଉଦ୍ଘାଟନର ଉତ୍ସବ ଗଣତାନ୍ତ୍ରିକ ବ୍ୟବସ୍ଥାର ମହୋତ୍ସବ ହେବା ପରିବର୍ତ୍ତେ ଜଣେ ଶାସକର ଏକଚ୍ଛତ୍ରବାଦ ଓ ଅହଂକାରକୁ ପ୍ରଦର୍ଶିତ କରୁଥିଲା। ସଂସଦ ଭବନ ନିର୍ମାଣର ଏକାକୀ ଶ୍ରେୟ ନେବା ପାଇଁ ପ୍ରଧାନମନ୍ତ୍ରୀ ସଂସଦୀୟ ବ୍ୟବସ୍ଥାର ମୁଖ୍ୟ ରୂପେ ପରିଚିତ ରାଷ୍ଟ୍ରପତି ଏବଂ ସଂସଦର ଅନ୍ୟତମ ଗୃହ, ରାଜ୍ୟ ସଭାର ଅଧ୍ୟକ୍ଷ ଭାବେ ପରିଚିତ ଦେଶର ଉପରାଷ୍ଟ୍ରପତିଙ୍କୁ ଏହି ଉତ୍ସବକୁ ନ ଡାକିି ନିଜେ ହିଁ ଭବନର ଉଦ୍ଘାଟନ କରିବା ଦେଖିବାକୁ ମିଳିଥିଲା। ବିପଜ୍ଜନକ କଥା ହେଲା, ଦେଶର ସମ୍ବିଧାନ ଧର୍ମନିରପେକ୍ଷ ବିଚାର ପ୍ରତି ନିଜର ପ୍ରତିବଦ୍ଧତା ଜାହିର କରୁଥିବା ବେଳେ ସମ୍ପୂର୍ଣ୍ଣ ଉତ୍ସବଟିକୁ ଏକ ନିର୍ଦ୍ଦିଷ୍ଟ ଧର୍ମର କାର୍ଯ୍ୟକ୍ରମରେ ପରିଣତ କରାଯାଇଥିଲା।
ସବୁଠାରୁ ଚିନ୍ତାଜନକ କଥାଟି ହେଲା, ସଂସଦ ଭବନରେ ‘ସେଙ୍ଗୋଲ’ ନାମକ ପ୍ରତୀକର ସ୍ଥାପନା। ତାମିଲ ଭାଷାରେ ସେଙ୍ଗୋଲର ଅର୍ଥ ହେଲା, ରାଜଦଣ୍ଡ। ମଧ୍ୟଯୁଗୀୟ ଦକ୍ଷିଣ ଭାରତରେ ଚୋଳ, ପାଣ୍ଡିଆ ଓ ଚାର ଆଦି ହିନ୍ଦୁ ରାଜବଂଶର ଶାସନ କାଳରେ ଏହା କୁଆଡ଼େ କ୍ଷମତାର ପ୍ରତୀକ ଥିଲା। ଉପରୋକ୍ତ ସାମନ୍ତବାଦୀ ଶାସକମାନେ ନିଜର ଶାସନ କ୍ଷମତାକୁ ବୈଧ ବୋଲି ଦର୍ଶାଇବା ପାଇଁ ଏକ କର୍ମକାଣ୍ଡୀୟ ମାନ୍ୟତା ଆବଶ୍ୟକ କରୁଥିଲେ। ଏହା କେବଳ ବ୍ରାହ୍ମଣ ଓ ପୁରୋହିତମାନଙ୍କ ଦ୍ୱାରା ହିଁ ସମ୍ଭବ ଥିଲା। ତେଣୁ ନୂତନ ରାଜାଙ୍କ ରାଜ୍ୟାଭିଷେକ ସମୟରେ ସେଠାକାର ବ୍ରାହ୍ମଣ, ପୁରୋହିତ ଗୋଷ୍ଠୀଙ୍କ ପକ୍ଷରୁ ସ୍ଥାନୀୟ ବଡ଼ ବଡ଼ ମଠର ମହନ୍ତମାନେ ରାଜାଙ୍କୁ ପ୍ରତୀକ ସ୍ବରୂପ ସେଙ୍ଗୋଲ ନାମରେ ପରିଚିତ ଏକ ଧାତବ ନିର୍ମିତ ରାଜଦଣ୍ଡକୁ ଧରାଉଥିଲେ। ସୁନା ଖଚିତ ଏହି ରୁପା ଦଣ୍ଡର ଶୀର୍ଷରେ ଭଗବାନ ଶିବଙ୍କ ବାହନ ନନ୍ଦୀଙ୍କ ଏକ ମୂର୍ତ୍ତି ରହିଥାଏ। ଏହା ଜରିଆରେ ରାଜା ସମସ୍ତଙ୍କୁ ଶାସନ କରିବାର ଐଶ୍ୱରୀକ ମାନ୍ୟତା ମିଳିଛି ବୋଲି ଦାବି କରି ନିଜର ଶାସନ ଚଳାଉଥିଲେ। ଅତଏବ ସେଙ୍ଗୋଲ ହେଉଛି ରାଜତନ୍ତ୍ର ବା ସାମନ୍ତବାଦର ପ୍ରତୀକ, ଯାହାର ଦଣ୍ଡାତ୍ମକ କ୍ଷମତା ରହିଥାଏ। ସେଥିରେ ଜଣେ ଏକଚ୍ଛତ୍ରବାଦୀ ରାଜା ରହିବେ ଏବଂ ଈଶ୍ୱରଙ୍କ ଦ୍ୱାରା ପ୍ରେରିତ ହୋଇ ସେ ଶାସନ କରୁଛନ୍ତି ବୋଲି ଏକ ଧାରଣା ସୃଷ୍ଟି କରାଯାଇଥାଏ।
ତାମିଲନାଡ଼ୁର କ୍ଷୀରୱାଦ ଦୁରାଇ ମଠରୁ ଆସିଥିବା ମହନ୍ତମାନଙ୍କ ହାତରୁ ପ୍ରଧାନମନ୍ତ୍ରୀ ସିଙ୍ଗୋଲକୁ ଗ୍ରହଣ କରିବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ସାମ୍ବାଦିକମାନଙ୍କୁ ନ ଜଣାଇବା ପର୍ଯ୍ୟନ୍ତ ଏ ସମ୍ପର୍କରେ କାହାର ସାମାନ୍ୟତମ ଧାରଣା ନ ଥିଲା। ଦେଶରେ ରାଜତନ୍ତ୍ରର ସମାପ୍ତି ସହିତ ଏଭଳି ଅନେକ ସାମନ୍ତବାଦୀ ପରମ୍ପରା ଏକରକମ ଖତମ୍ ହୋଇଯାଇଥିଲା। ଅତଏବ ସରକାରୀ ଘୋଷଣା ପରେ ସେଙ୍ଗୋଲକୁ ନେଇ ଗତ କିଛି ଦିନ ଧରି ଦେଶର ମୁଖ୍ୟଧାରାର ମିଡ଼ିଆରେ ଦିନରାତି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ସେଙ୍ଗୋଲ ବାହାନାରେ ନିଜର ରାଜନୈତିକ ଶତ୍ରୁ କଂଗ୍ରେସ ଓ ନେହେରୁଙ୍କୁ ନିନ୍ଦିତ କରିବା ପାଇଁ ଭାଜପା ଏବଂ ତା’ର ଆଇଟି ସେଲ୍ ପକ୍ଷରୁ ଷଡ଼ଯନ୍ତ୍ର ହୋଇଥିଲା। ଦେଶ ସ୍ବାଧୀନ ହେବା ପରେ ୧୯୪୭ରେ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ବ୍ରିଟିଶ ସରକାରଙ୍କ ଶେଷ ଭାଇସ୍ରାୟ, ଲର୍ଡ ମାଉଣ୍ଟବ୍ୟାଟେନ୍ କ୍ଷମତାର ହସ୍ତାନ୍ତର କଲାବେଳେ ଏହାର ପ୍ରତୀକ ଭାବେ କୁଆଡ଼େ ସେଙ୍ଗୋଲ ଦେଇଥିଲେ ଏବଂ ନେହେରୁ ନିଜର ଅହଂକାର କାରଣରୁ ତାକୁ ଶାସନର ପ୍ରତୀକ ଭାବେ ଗ୍ରହଣ ନ କରି ଆଲ୍ଲାହାବାଦସ୍ଥିତ ଆନନ୍ଦ ଭବନ ସଂଗ୍ରହାଳୟରେ ରଖି ଦେଇଥିଲେ ବୋଲି କହି ଏହା ଏକ ଐତିହାସିକ ଅନ୍ୟାୟ ବୋଲି ପ୍ରଚାର କରାଗଲା। ଅବଶ୍ୟ ପରେ ଏ ସମ୍ପର୍କରେ ଜଣାପଡ଼ିଲା ଯେ ନେହେରୁଙ୍କୁ ଏକ ସେଙ୍ଗୋଲ ଲର୍ଡ ମାଉଣ୍ଟବ୍ୟାଟେନ୍ ନୁହେଁ ବରଂ ତାମିଲନାଡ଼ୁର କିଛି ମଠର ମହନ୍ତମାନେ ପ୍ରଦାନ କରିଥିଲେ ।
ତେବେ ସେ ଏହାକୁ କୌଣସି କ୍ଷମତା ହସ୍ତାନ୍ତରର ପ୍ରତୀକ ରୂପେ ନୁହେଁ ବରଂ ଏକ ଉପହାର ରୂପେ ଗ୍ରହଣ କରିଥିଲେ ଏବଂ ପରେ ସଂଗ୍ରହାଳୟକୁ ପଠେଇ ଦେଇଥିଲେ ବୋଲି ଜଣାପଡ଼ିଛି।
ଅସଲ କଥା ହେଲା, ଭାରତରୁ ବ୍ରିଟିଶମାନଙ୍କ ପ୍ରସ୍ଥାନ ପରେ ସେଠାକାର ରାଜା, ସାମନ୍ତ ଓ ମଠର ମହନ୍ତମାନେ ନିଜର ଭବିଷ୍ୟତ ନେଇ ଉଦ୍ବିଘ୍ନ ହୋଇପଡ଼ିଥିଲେ। କାରଣ ନେହେରୁ ଆଧୁନିକତା, ଧର୍ମନିରପେକ୍ଷ ଓ ବୈଜ୍ଞାନିକ ବିଚାରର ପକ୍ଷପାତୀ ଥିବାରୁ ଏବଂ ସ୍ବାଧୀନ ଭାରତରେ ରାଜରାଜୁଡ଼ା, ଜମିଦାରମାନଙ୍କ କୌଣସି ଆଧିପତ୍ୟକୁ ସ୍ବୀକାର କରିବା ପକ୍ଷରେ ନ ଥିବାରୁ ଶହ ଶହ ବର୍ଷ ଧରି ବିପୁଳ ପରିମାଣର ଜମିର ମାଲିକାନା ଜମିଦାର ଓ ମଠର ମହନ୍ତମାନେ ନିଜର ଭବିଷ୍ୟତ ନେଇ ଅତ୍ୟନ୍ତ ଆତଙ୍କିତ ହୋଇପଡ଼ିଥିଲେ। ଅତଏବ ତାଙ୍କୁ ଖୁସି କରି ନିଜର ସ୍ଥିତିକୁ ରକ୍ଷା କରିବା ପାଇଁ ସେମାନେ ସେତେବେଳର ଅନ୍ୟତମ କଂଗ୍ରେସ ନେତା ଚକ୍ରବର୍ତ୍ତୀ ରାଜଗୋପାଳଚାରୀଙ୍କ ସହାୟତାରେ ନେହେରୁଙ୍କୁ ଭେଟି ଉପହାର ସ୍ବରୂପ ଉକ୍ତ ସେଙ୍ଗୋଲକୁ ଦେଇଥିଲେ। ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ନେହେରୁଙ୍କ ପାଇଁ ତାହା ଏକ ନିଚ୍ଛକ ଉପହାର ବ୍ୟତୀତ ଅନ୍ୟ କିଛି ନ ଥିଲା।
ଯଦିବା କ୍ଷମତା ହସ୍ତାନ୍ତରର ପ୍ରତୀକ ଭାବେ ସେଙ୍ଗୋଲ ନେଇ ସରକାରଙ୍କ ବ୍ୟାଖ୍ୟାକୁ ଠିକ୍ ବୋଲି ଗ୍ରହଣ କରାଯିବ, ତା’ହେଲେ ଆଜି ତା’ର ଆବଶ୍ୟକତା ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। କାରଣ ୧୯୪୭ ପରେ ଆମେ ରାଜରାଜୁଡ଼ାଙ୍କ ସାମନ୍ତବାଦୀ ଶାସନକୁ ସମାପ୍ତ କରି ଦେଶକୁ ଏକ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ କରିବା ପରେ ସମ୍ବିଧାନ ହିଁ ରାଷ୍ଟ୍ର କ୍ଷମତାର ପ୍ରତୀକ ହୋଇଆସିଛି। ଏଭଳି ସ୍ଥଳେ ସେଙ୍ଗୋଲ ପରି ଏକ ସାମନ୍ତବାଦୀ ବ୍ୟବସ୍ଥା ଓ ଶାସନ କ୍ଷମତାର ପ୍ରତୀକକୁ ନେଇ ସମ୍ମୋହନ ଲଜ୍ଜାଜନକ ମନେହୁଏ। ଭାରତକୁ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ବୋଲି ଦାବି କରୁଥିବା ପ୍ରଧାନମନ୍ତ୍ରୀ ସେଦିନ କେଉଁ ଆଧାରରେ ସେଙ୍ଗୋଲ ଗ୍ରହଣ କରିଲେ? ସେଙ୍ଗୋଲ ଗ୍ରହଣ ନାଁରେ ସେଦିନ ନୂତନ ସଂସଦ ଭବନରେ ଯେଉଁ ଆଡ଼ମ୍ବର କରାଗଲା ତାହା କୌଣସି ରାଜ୍ୟାଭିଷେକ ଉତ୍ସବଠାରୁ କମ୍ ନ ଥିଲା।
ଦେଶର ନୂତନ ସଂସଦ ଭବନକୁ ଉଦ୍ଘାଟନ କଲାବେଳେ ଯେଉଁଭଳି ଭାବେ କେବଳ ଗୋଟିଏ ଧର୍ମର ପୁରୋହିତ ଓ ମହନ୍ତମାନଙ୍କୁ ଡାକି ସେଠାରେ ସେମାନଙ୍କ ସମ୍ମୁଖରେ ଖୋଦ ଶାସନମୁଖ୍ୟ ସାଷ୍ଟାଙ୍ଗ ପ୍ରଣିପାତ କରି ଯଜ୍ଞ ଏବଂ ମନ୍ତ୍ରୋଚ୍ଚାରଣ କଲେ, ତାହା ଏକ ଧର୍ମନିରପେକ୍ଷ ରାଷ୍ଟ୍ର ପ୍ରତି ଅତ୍ୟନ୍ତ ଲଜ୍ଜାଜନକ ମନେହେଲା। ସବୁଠାରୁ ବଡ଼କଥା ହେଲା, ଜାତି, ଧର୍ମ ଓ ଲିଙ୍ଗ ନିର୍ବିଶେଷରେ ରାଷ୍ଟ୍ର ସମସ୍ତଙ୍କୁ ନ୍ୟାୟ କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ତା’ର ବିପରୀତ ସରକାର ଏକଚ୍ଛତ୍ରବାଦୀ ରାଜତନ୍ତ୍ରର ପ୍ରତୀକ ସିଙ୍ଗୋଲ ଜରିଆରେ ସରକାର ଆଗାମୀ ଦିନରେ ଏକ ଉଚ୍ଚଜାତିର ଅହଙ୍କାରଭରା ତଥା ପୁରୁଷବାଦୀ ହିନ୍ଦୁରାଷ୍ଟ୍ରର ନିର୍ମାଣ ଦିଗରେ ଅଗ୍ରସର ହେବାକୁ ସୂଚନା ଦେଇଛନ୍ତି।