Categories: ଜାତୀୟ

‘ସେଂଗୋଲ ହଟାଇ ସଂସଦରେ ସ୍ଥାପନ ହେଉ ସମ୍ବିଧାନ ପୁସ୍ତକ’, ପୁଣି ସଂସଦରେ ତେଜିଲା ଦାବି

ନୂଆଦିଲ୍ଲୀ,୨୭।୬: ପୁଣି ଲୋକ ସଭାରେ ଉଠିଛି ସେଂଗୋଲ ବିବାଦ। ନୂଆ ସରକାର ଗଠନ ହେବା ପରେ ଲୋକ ସଭାରେ ସ୍ବତନ୍ତ୍ର ଅଧିବେଶନ ଜାରି ରହିଛି। ତେବେ ଆଜି ଅଧିବେଶନ ଆରମ୍ଭ ହେଉ ହେଉ ସେଂଗୋଲକୁ ନେଇ ଝଡ ଆରମ୍ଭ ହୋଇଛି। ବିରୋଧୀ ସଂସଦରେ ସେଂଗୋଲ ହଟାଇ ସମ୍ବିଧାନ ପୁସ୍ତକକୁ ସ୍ଥାନ ଦେବାକୁ ଦାବି କରିଛନ୍ତି। ଯାହାକୁ ନେଇ ନୂଆ ସଂସଦରେ ପୁଣି ସେଂଗୋଲ ବିବାଦ ଘନେଇଛି।

ଆଜି ଅଧିବେଶନରେ ସମାଜବାଦୀ ଲୋକ ସଭା ଏମପି ଆର କେ ଚୌଧୁରୀ ସଂସଦରେ ସେଂଗୋଲ ହଟାଇ ସମ୍ବିଧାନ ପୁସ୍ତକ ସ୍ଥାନ ଦେବାକୁ ଦାବି କରିଛନ୍ତି। ଶପଥ ନେବା ପରେ ସେ ଏ ସମ୍ପର୍କରେ ପ୍ରୋ ଟେମ୍‌ ସ୍ପିକରଙ୍କୁ ଚିଠି ଲେଖି ଜଣାଇଥିଲେ। ସେ କହିଥିଲେ, ସେଂଗୋଲ ରାଜା-ରାଜୁଡାଙ୍କର ପ୍ରତୀକ ଅଟେ। ଏଥିପାଇଁ ଏହାକୁ ହଟାଇବା ଆବଶ୍ୟକ। ଆର କେ ଚୌଧୁରୀଙ୍କ ବୟାନକୁ ନେଇ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି, ଆମ ଦଳର ଏମପି ଏକଥା ଏଥିପାଇଁ କହୁଛନ୍ତି ଯେତେବେଳେ ନୂଆ ସଂସଦରେ ସେଂଗୋଲ ସ୍ଥାପନ ହୋଇଥିଲା ସେତେବେଳେ ପ୍ରଡ଼ାନମନ୍ତ୍ରୀ ଏହା ସାମ୍ନାରେ ନତମସ୍ତକ ହୋଇଥିଲେ। କିନ୍ତୁ ଯେତେବେଳେ ଶଫଥ ନେଲେ ସେତେବେଳେ ନମସ୍କାର କରିବାକୁ ଭୁଲି ଯାଇଥିଲେ। ବୋଧେ ମୋଦି ବି ଏବେ ଅନୁଭବ କରୁଛନ୍ତି କି, ସଂସଦରେ ସମ୍ବିଧାନ ରହିବା ଆବଶ୍ୟକ। ଖାସ୍‌ ଏଥିପାଇଁ ମୋ ଏମପି ତାଙ୍କୁ ମନେ ପକାଇ ଦେଇଛନ୍ତି।

ସେଂଗୋଲର ଇତିହାସ ଶତାଦ୍ଦୀ ଶତାଦ୍ଦୀ ପୁରୁଣା। ଏହା ଚୋଳ ସାମ୍ରାଜ୍ୟରୁ ଆସିଛି। ଚୋଳ ସାମ୍ରାଜ୍ୟରେ ରାଜଦଣ୍ଡ ସେଂଗୋଲର ବ୍ୟବହାର କ୍ଷମତା ହସ୍ତାନ୍ତରଣବେଳେ ବ୍ୟବହାର କରାଯାଏ। ଏହି ରାଜଦଣ୍ଡ ଭାରତର ସ୍ବତନ୍ତ୍ରତା ସହ ଜଡିତ ମହତ୍ତ୍ୱପୂର୍ଣ୍ଣ ଐତିହାସିକ ପ୍ରତୀକ ଅଟେ। ସେତେବେଳେ ବ୍ରିଟିଶଙ୍କ ଠାରୁ ସେଂଗୋଲ ରାଜଦଣ୍ଡ ଦ୍ୱାରା ହିଁ କ୍ଷମତା ହସ୍ତାନ୍ତର ହୋଇଥିଲା।

Share