ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ

କଟକ ଅଫିସ,୧୧।୧: ବରିଷ୍ଠ କଳାକାର ତଥା ଅଭିନେତା ମିହିର ଦାଶଙ୍କ ମଙ୍ଗଳବାର ଅପରାହ୍ନରେ ପରଲୋକ ହୋଇଯାଇଛି।  ସେ ଦୀର୍ଘ ଦିନ ହେଲା ଯକୃତ ରୋଗରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

୧୯୬୬ ମସିହା ଫେବୃୟାରୀ ୨ ତାରିଖରେ ମୟୂରଭଞ୍ଜ ଜିଲାରେ ଜନ୍ମ ହୋଇଥିଲେ ମିହିର ଦାସ । ପିଲାଟି ଦିନରୁ ଅଭିନୟ ଥିଲା ତାଙ୍କର ନିଶା ଓ ପେଶା । ସେ ୧୯୭୯ରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ। ସେ ପ୍ରାୟ ୧୦୦ଟି ଚଳଚ୍ଚିତ୍ରରେ ମୁଖ୍ୟ ଓ ସହ କଳାକାର ଭୂମିକାରେ ଅଭିନୟ କରିଛନ୍ତି ।

ତାଙ୍କର ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ଲକ୍ଷ୍ମୀ ପ୍ରତିମା, ଟାର୍ଗେଟ, ଗୁଣ୍ଡା, ମାଇଁ ଲଭ ଷ୍ଟୋରୀ, ପହିଲି ରାଜା, ଚୋରି ଚୋରି ମନ ଚୋରି, ବାଜି, ଧଉଳି ଏକ୍ସପ୍ରେସ ଅନ୍ୟତମ। ଅଭିନୟ ପାଇଁ ସେ ଏକାଧିକ ପୁରସ୍କାର ପାଇଛନ୍ତି। ୧୯୯୯ରେ ବିଧାତା ଓ ୨୦୦୫ରେ ଫେରିଆ ମୋ ସୁନା ଭଉଣୀ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଥିଲା । ସେ କଣ୍ଠଶିଳ୍ପୀ ସଙ୍ଗୀତା ଦାସଙ୍କୁ ବିବାହ କରିଥିଲେ। ୨୦୧୦ରେ ସ୍ତ୍ରୀ ସଙ୍ଗୀତାଙ୍କ ମୃତ୍ୟୁ ଘଟିଥିଲା।

Share