କେନ୍ଦୁଝର,୪ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭିଜିଲାନ୍ସ ୟୁନିଟ୍ ସୋମବାର ସାରେ କେନ୍ଦୁଝର ସହରରେ ଥିବା ହୋଟେଲ ଅଜନ୍ତା ନିକଟରେ ଏକ ସ୍କୁଟି (ଓଡି୦୯ଏଏ ୯୩୪୮)ରୁ ୨ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛନ୍ତି। ଅର୍ଥର ଠିକ୍ ସୂଚନା ଦେଇ ପାରି ନ ଥିବାରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ସହାୟକଙ୍କୁ ଭିଜିଲାନ୍ସ ଟିମ୍ ଅଟକ ରଖିଛି। ଅଟକ କିରାଣି ହେଲେ ଶେଖର ଲାଲ ସାହୁ। ସେ ଏଡିଏମ୍ଓ (ପରିବାର କଲ୍ୟାଣ)ଙ୍କ ଅଧୀନରେ କାମ କରୁଥିଲେ।
ପ୍ରକାଶ ଯେ, ସୋମବାର ୬୦ ଜଣ ଏଏନ୍ଏମ୍ଙ୍କ ରେଗୁଲାର ହେବା ପାଇଁ ସାର୍ଟିଫିକେଟ ଯାଞ୍ଚ ହେଉଥିଲା। ଏହି ଅର୍ଥ ସେମାନଙ୍କଠାରୁ ଆଦାୟ କରି ରଖିଥିଲେ ବୋଲି ସନ୍ଦେହ କରାଯାଉଛି। ଏ ନେଇ ଭିଜିଲାନ୍ସ ଡିଏସ୍ପି ସୁଧାଂଶୁ ପୂଜାରୀ କହିଛନ୍ତି, ତଦନ୍ତ ପରେ ଠିକ୍ ତଥ୍ୟ ମିଳିପାରିବ। ତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତିକୁ ନେଇ ଯାଞ୍ଚ ପରେ ଏବଂ ଅଧିକ ତଦନ୍ତ ପରେ ଠିକ୍ ତଥ୍ୟ ମିଳିପାରିବ ବୋଲି ମତ ପ୍ରକାଶ ପାଇଛି।