Advertisement

ଭଜନ କୀର୍ତ୍ତନ କରି ହୋଲି ଖେଳିଲେ ବରିଷ୍ଠ ନାଗରିକ

କୁଆଁରମୁଣ୍ଡା,୨୬।୩(ମହେନ୍ଦ୍ର କୁମାର ସାହୁ): ଆଜି ରଙ୍ଗର ପର୍ବ ହୋଲି। ପରସ୍ପର ମଧ୍ୟରେ ଥିବା ମନୋମାଳିନ୍ୟକୁ ପଛରେ ପକାଇ ଲୋକେ ରଙ୍ଗ ଓ ଅବିର ଲଗାଇ ପରସ୍ପରକୁ ଅଭିନନ୍ଦନ ଜଣାଇଥାଆନ୍ତି। ଅନୁରୂପ ଭାବେ କୁଆଁରମୁଣ୍ଡା ଅବସରପ୍ରାପ୍ତ କର୍ମଚାରୀ ସଂଘ ଓ ସ୍ଥାନୀୟ ବାସିନ୍ଦା ନିକଟସ୍ଥ ସିଟି ସ୍କୁଲ ରୋଡ଼ରେ ଥିବା ରାଧା ଗୋବିନ୍ଦ ମନ୍ଦିରରେ ନିଆରା ଢଙ୍ଗରେ ହୋଲି ପାଳନ କରିଛନ୍ତି। ଭଜନ କୀର୍ତ୍ତନ ସହ ପ୍ରଭୁ ରାଧା ଗୋବିନ୍ଦଙ୍କ ନିକଟରେ ପ୍ରାକୃତିକ ରଙ୍ଗ ଓ ଅବିର ବୋଳି ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି ଅବସରପ୍ରାପ୍ତ କର୍ମଚାରୀ ସଂଘ। ଏ ନେଇ ସଂଘ ସଭାପତି ଶିବ ନାରାୟଣ ସାହୁ କହିଛନ୍ତି, ଚାକିରିରୁ ଅବସର ପରେ ପୁରୁଣା ସାଥୀଙ୍କ ସହ ଭାବ ବିନିମୟ ସହ ଏକାଠି କିଛି ସମୟ ଖୁସିରେ ଅତିବାହିତ କରିବା ପାଇଁ ଆମେ କୁଆଁରମୁଣ୍ଡା ଅବସରପ୍ରାପ୍ତ କର୍ମଚାରୀ ସଂଘ କରିଛୁ। ଚଳିତ ବର୍ଷ ଆମେ ହୋଲିକୁ ଏକ ନିଆରା ଢଙ୍ଗରେ ଭଜନ କୀର୍ତ୍ତନ କରି ପାଳନ କରିଛୁ ଯାହା ଆମକୁ ବେଶ ଆନନ୍ଦ ଦେଇଛି।

ସେହିପରି କୁଆଁରମୁଣ୍ଡାର ଯୁବ ସମାଜ ସେବୀ ରାଜୁ ତିୱାରୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଲି ମିଳନ କାର୍ଯ୍ୟକ୍ରମରେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ କୁଆଁରମୁଣ୍ଡା ବରିଷ୍ଠ ନାଗରିକ, ଯୁବକଙ୍କ ସହ ହୋଲି ଖେଳିବା ସହ ମିଠା ବାଣ୍ଟି ହୋଲିର ଅଭିନନ୍ଦନ ଜଣାଇଥିଲେ। କେବଳ କୁଆଁରମୁଣ୍ଡା ନୁହେଁ ସମଗ୍ର ବୀରମିତ୍ରପୁର ଉପଖଣ୍ଡ ବିଶେଷ କରି ବିଶ୍ରା, ନୂଆଗାଁ ବ୍ଲକ ଓ ବୀରମିତ୍ରପୁର ପୌରାଞ୍ଚଳରେ ଆୟୋଜିତ ହୋଲି କାର୍ଯ୍ୟକ୍ରମରେ ବିଧାୟକ ଶଙ୍କର ଓରାମ ଯୋଗଦେଇ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share