ନୂଆଦିଲ୍ଲୀ,୨୩।୮: ଚନ୍ଦ୍ରାୟନ-୩ ମିଶନକୁ ନେଇ ଦେଶରେ ଉତ୍କଣ୍ଠା ଖେଳିଯାଇଛି। ଏନେଇ କଂଗ୍ରେସର ବରିଷ୍ଠ ନେତା ହରିଶ ରାୱତ କହିଛନ୍ତି ଯେ, ଏହା ଏକ ବଡ଼ ସଫଳତା। ମୁଁ ଆଗଆ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଦେବାକୁ ଚାହୁଁଛି। ମୁଁ ସରକାରଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି। ଆମେ ଚାହୁଁ ଚନ୍ଦ୍ରୟାାନ-୩ ସଫଳତାର ସହିତ ଅବତରଣ କରନ୍ତୁ ଏବଂ ଏହାର ମିଶନ ସଫଳ ହେଉ। ଏହି ଅବସରରେ, ଯେଉଁମାନେ ଏହି ବିଷୟରେ ସ୍ବପ୍ନ ଦେଖିଥିଲେ ସେମାନଙ୍କୁ ମଧ୍ୟ ମୁଁ ପ୍ରଣାମ କରିବାକୁ ଚାହେଁ। ଯେତେବେଳେ ଆମ ଦେଶ ଗରିବ ଥିଲା, ଛୁଞ୍ଚି ମଧ୍ୟ ତିଆରି କରିପାରୁ ନ ଥିଲା, ସେତେବେଳେ ଆମେ ମହାକାଶକୁ ଯିବାକୁ ଇଚ୍ଛା କରୁଥିଲୁ। ଏହି ମିଶନରେ ସହଯୋଗ କରିଥିବା ସମସ୍ତ ଲୋକଙ୍କୁ ସଲାମ।
ସୂଚନାଯୋଗ୍ୟ, ଭାରତର ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ‘ବିକ୍ରମ’ ବୁଧବାର ସନ୍ଧ୍ୟାରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ଲାଗି ଉଦ୍ୟମ କରିବ। ରୋଭର ପ୍ରଜ୍ଞାନ ସହ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରି ଇତିହାସ ସୃଷ୍ଟି କରିବାକୁ ଯାଉଛି। ଜୁଲାଇ ୧୪ରେ ଇସ୍ରୋର ବାହୁବଳୀ ରକେଟ ମାର୍କ-୩ ସହାୟତାରେ ଚନ୍ଦ୍ରୟାନ-୩କୁ କକ୍ଷପଥରେ ପହଞ୍ଚାଯାଇଥିଲା।