Categories: ଜାତୀୟ

ରାହୁଲଙ୍କ ପାଇଁ ବରିଷ୍ଠ କଂଗ୍ରେସ ନେତା କ୍ଷୁବ୍ଧ

ନୂଆଦିଲ୍ଲୀ, ୬।୯: ୨୦୧୯ ସାଧାରଣ ନିର୍ବାଚନ ସମେତ ଏକାଧିକ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ ଦଳ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ଦଳର ମଙ୍ଗ ଧରିଛନ୍ତି ସୋନିଆ ଗାନ୍ଧୀ। ଏବେ ସୋନିଆ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ହୋଇଥିଲେ ମଧ୍ୟ ସମସ୍ତ ବୈଠକ ରାହୁଲଙ୍କ ବାସଭବନରେ ହେଉଛି ଓ ସବୁ ନିଷ୍ପତ୍ତି ସେ ନେଉଛନ୍ତି। ଏହା ଦର୍ଶାଉଛି ରାହୁଲ ଦଳର ବାସ୍ତବ ନେତା। ନେତୃତ୍ୱ ପରିବର୍ତ୍ତନ ପାଇଁ ଗତବର୍ଷ ସୋନିଆଙ୍କୁ ପତ୍ର ଲେଖିଥିବା ୨୩ ଜଣ ଅସନ୍ତୁଷ୍ଟ ନେତା ରାହୁଲଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେମାନେ ଯେଉଁ ପ୍ରସଙ୍ଗ ଉଠାଇଥିଲେ ତାହା ସେହିଭଳି ରହିଛି। ନେତୃତ୍ୱ ପରିବର୍ତ୍ତନ ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନିଆଯାଇପାରୁ ନ ଥିବା ସେମାନେ କହିଛନ୍ତି। ଅସନ୍ତୁଷ୍ଟ ନେତାଙ୍କ ମଧ୍ୟରୁ ଅଧିକାଂଶଙ୍କୁ ବିଭିନ୍ନ ଦଳୀୟ କମିଟିରେ ଥଇଥାନ କରାଯାଇଥିଲେ ମଧ୍ୟ ପରାମର୍ଶ ପ୍ରକ୍ରିୟାରେ ସେମାନଙ୍କୁ ସାମିଲ କରାଯାଇନାହିଁ। ଏହା ସେମାନଙ୍କୁ କ୍ଷୁବ୍ଧ କରିଛି। ଛତିଶଗଡ଼ ହେଉ କି ପଞ୍ଜାବ କଂଗ୍ରେସ ବିବାଦ ପ୍ରସଙ୍ଗ, ସବୁ ବୈଠକ ରାହୁଲଙ୍କ ତୁଗଲକ୍‌ ଲେନ୍‌ ବାସଭବନରେ ବସୁଛି। ସେଠାରେ ବସିଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଟି.ଏସ୍‌. ସିଂଦେଓ ଏବଂ ଭୂପେଶ ବାଘେଲ ଉପସ୍ଥିତ ଥିଲେ। ଏଥିରୁ ସ୍ପଷ୍ଟ ଯେ, କଂଗ୍ରେସର ସମସ୍ତ ନିଷ୍ପତ୍ତି ରାହୁଲ ନେଉଛନ୍ତି। ସେହିପରି ପଞ୍ଜାବ ପ୍ରସଙ୍ଗ ରାହୁଲଙ୍କ ବାସଭବନରେ ସମାଧାନ ହୋଇଥିଲା। ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ଦଳର ରାଜ୍ୟ ସଭାପତି ନିଯୁକ୍ତ କରାଯାଇଥିଲା। ପରେ ସେ ସୋନିଆଙ୍କୁ ଭେଟିଥିଲେ। କିନ୍ତୁ ନିଷ୍ପତ୍ତି ରାହୁଲଙ୍କ ବାସଭବନରେ ନିଆଯାଇଥିଲା, ଯାହାକୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସମର୍ଥନ କରିଥିଲେ।

Share