କରୋନାରେ ବରିଷ୍ଠ ସାମ୍ବାଦିକଙ୍କ ପରଲୋକ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ତଥା ରାଜନୀତିକ ସମୀକ୍ଷକ ବସନ୍ତ ଦାସଙ୍କ ପରଲୋକ ଘଟିଛି। ଶୁକ୍ରବାର କରୋନାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ଏନେଇ ତାଙ୍କ ପୁଅ ଚନ୍ଦନ ଦାସ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମେ’୧୬ରେ ବସନ୍ତ ଦାସ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ତେବେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଉଭୟ ଓଡିଆ ଓ ଇଂଲିଶରେ ସାମ୍ବଦିକତା ସହ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ୧୯୬୫ରେ ଇଂଲିଶ ଦୈନିକ ଇଷ୍ଟର୍ଣ୍ଣ ଟାଇମ୍ସରୁ ସାମ୍ବଦିକତା କ୍ଷେତ୍ରରେ ସେ ପାଦ ଥାପିଥିଲେ। ବର୍ତ୍ତମାନର ପୁସ୍ତକ ‘ପଲଟିକାଲ ହିଷ୍ଟ୍ରି ଅଫ୍‌ ମଡର୍ଣ୍ଣ ଓଡିଶା’ ସହିତ ସେ ୧୬ଟି ପୁସ୍ତକ ଲେଖିଛନ୍ତି। ଏଥିସହ ‘ଜେ ଦେଶ ଯାଇ ସେ ଫଳଖାଇ’ ପାଇଁ ତାଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା। ତାଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକପ୍ରକାଶ ପାଇଛି। ଓଡ଼ିଶା ଆଜି ତାଙ୍କ ଭଳି ଜଣେ ସୁଦକ୍ଷ ସାମ୍ବାଦିକଙ୍କୁ ହରାଇଛି। ଯାହା ସାହିତ୍ୟ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି।

Share