Advertisement

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରି ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। କେବଳ ଭକ୍ତିପ୍ରସାଦ ନୁହନ୍ତି, ଅନୁଗୋଳ ଜିଲା ବିଜେଡିର ବରିଷ୍ଠ ନେତ୍ରୀ ମୀରା ଗଡ଼ନାୟକ, ଯୁବ ବିଜେଡି ରାଜ୍ୟ ଉପସଭାପତି ପ୍ରକାଶ ଚନ୍ଦ୍ର ଭୋଇ, ମାତ୍ର ସପ୍ତାହେ ତଳେ ବିଜେଡିରେ ଯୋଗ ଦେଇଥିବା ଆଦର୍ଶ ଗ୍ରୁପ୍‌ ପ୍ରତିଷ୍ଠାତା ମହେଶ ଚନ୍ଦ୍ର ଧଳ, ବିଜେଡି ଡିଜିଟାଲ ସମ୍ପାଦକ ପ୍ରଶାନ୍ତ କୁମାର ଦେହୁରୀ, ବିଜୁ ଛାତ୍ର ଜନତା ଦଳ ଜିଲା ସାଧାରଣ ସମ୍ପାଦକ ରାହୁଲ ମହାପାତ୍ର ଓ ବାଉଳିଗଡ଼ ସରପଞ୍ଚ ଅମରେନ୍ଦ୍ର ଗଡ଼ନାୟକ ମଧ୍ୟ ଦଳ ଛାଡ଼ିଛନ୍ତି। ଏକାବେଳେ ଏତେ ସଂଖ୍ୟକ ନେତା ଦଳ ଛାଡ଼ିବା ଜିଲା ବିଜେଡି କ୍ୟାମ୍ପରେ କମ୍ପନ ସୃଷ୍ଟି କରିଛି। ଏହି ନେତାମାନେ ବୁଧବାର ଭାଜପାରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ଓ ଅନୁଗୋଳ ଜିଲା ଉପଦେଷ୍ଟା କମିଟିରୁ ଇସ୍ତଫା ଦେଇଥିବା ଭକ୍ତି ପ୍ରସାଦ ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି, ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳରେ ତାଙ୍କୁ ଅଣଦେଖା କରାଯାଇଛି। ଦଳ ତାଙ୍କୁ କେବେ ବି ଗୁରୁତ୍ୱ ପ୍ରଦାନ କରିନାହିଁ। ବିଶେଷକରି ୨୦୧୯ ପରଠାରୁ ଅଦ୍ୟାବଧି ଏହି ଧାରା ଜାରି ରହିଥିଲା। ତେଣୁ ଦଳରେ ତାଙ୍କର ଆଉ ଆବଶ୍ୟକତା ନ ଥିବାରୁ ସେ ବିଜେଡି ଛାଡ଼ିଥିବା ଜଣାଇ ଦେଇଛନ୍ତି। ଇସ୍ତଫା ଦେଇଥିବା ବରିଷ୍ଠ ନେତ୍ରୀ ମୀରା ଦର୍ଶାଇଛନ୍ତି,ତାଙ୍କର ଗୁରୁତ୍ୱ ଓ ଦାୟିତ୍ୱକୁ ବୁଝିବାରେ ହେଳା କରାଯାଇଛି। ଅନ୍ୟପକ୍ଷରେ ଗତ ୧୭ ତାରିଖରେ ବିଜେଡିରେ ଯୋଗଦାନ କରିଥିବା ଆଦର୍ଶ ଗ୍ରୁପ୍‌ର ପ୍ରତିଷ୍ଠାତା ମହେଶ ଦଳରୁ ଇସ୍ତଫା ଦେବା ବେଶ୍‌ ଆଲୋଚନାର ବିଷୟ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share