Categories: ବାଣିଜ୍ୟ

୪ ଜୁଲାଇରେ ଖୋଲିବ ସେନ୍‌କୋ ଗୋଲ୍ଡର ଆଇପିଓ

ଭୁବନେଶ୍ୱର,୩।୭(ଅଭୟ ଦାଶ): ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ସେନ୍‌କୋ ଗୋଲ୍ଡ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ଆଇପିଓ ୨୦୨୩ ଜୁଲାଇ ୪ରେ ଖୋଲିବ ବୋଲି ସେନ୍‌କୋ ଗୋଲ୍ଡ ପକ୍ଷରୁ ସୂଚନା ଦିଆଯାଇଛି, ଯେଉଁଥିରେ ୪୦୫ କୋଟି ଟଙ୍କାର ଇକ୍ୱିଟି ଶେୟାର ସାମିଲ ରହିଛି। ଏଥିରେ ୨୭୦ କୋଟି ଟଙ୍କାର ନୂଆ ଇକ୍ୱିଟି ଶେୟାର ଜାରି କରାଯିବ ଏବଂ ଏସ୍‌ଏଆଇଏଫ୍‌ ପାର୍ଟନର୍ସ ଇଣ୍ଡିଆ ୪ ଲିମିଟେଡ୍‌ ୧୩୫ କୋଟି ଟଙ୍କାର ଇକ୍ୱିଟି ଶେୟାର ଅଫର ଫର ସେଲ୍‌ ପାଇଁ ଉପଲବ୍ଧ କରିବେ। ଆଙ୍କର ନିବେଶକମାନେ ୨୦୨୩ ଜୁଲାଇ ୪ରେ ବିଡ୍‌ ଦାଖଲ କରିପାରିବେ। ଏହି ଅଫର ୨୦୨୩ ଜୁଲାଇ ୬ ରେ ବନ୍ଦ ହେବ। ଏହି ଅଫରର ଇକ୍ୱିଟି ଶେୟାର ପିଛା ମୂଲ୍ୟ ୩୦୧ ଟଙ୍କାରୁ ୩୧୭ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି। ନିବେଶକମାନେ ସର୍ବନିମ୍ନ ୪୭ଟି ଇକ୍ୱିଟି ଶେୟାର ପାଇଁ ବିଡ୍‌ ଦାଖଲ କରିପାରିବେ ଏବଂ ଏହା ପରେ ୪୭ର ଗୁଣିତକ ହିସାବରେ ଅଧିକ ଇକ୍ୱିଟି ଶେୟାର ଯୋଡ଼ିପାରିବେ। ଏହି ଅଫରରୁ ଯେଉଁ ପାଣ୍ଠି ମିଳିବ ସେଥିରୁ ୧୯୬ କୋଟି ଟଙ୍କାକୁ କମ୍ପାନୀର କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା ଲାଗି ବ୍ୟବହାର କରାଯିବ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍‌ କାର୍ଯ୍ୟରେ ବ୍ୟବହାର କରାଯିବ। ଅପରପକ୍ଷରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କ ପାଇଁ ଇସ୍ୟୁର ଭାଗ ୭୫%ରୁ କମ୍‌ ହେବ ନାହିଁ। ସେହିପରି କ୍ୟୁଆଇବିଙ୍କ ପାଇଁ ରହିଥିବା ଭାଗର ୬୦% ଆଙ୍କର ନିବେଶକଙ୍କୁ ସେବି ନିୟମ ଅନୁସାରେ ପ୍ରଦାନ କରାଯିବ। ଯେଉଁଥିପାଇଁ ବିଆର୍‌ଏଲ୍‌ଏମ୍‌ ସହିତ ଆଲୋଚନା ହୋଇଛି। ତାହାର ଏକ ତୃତୀୟାଂଶ ଦେଶ ଭିତରର ମ୍ୟୁଚୁଆଲ୍‌ ଫଣ୍ଡ୍‌ ପାଇଁ ସଂରକ୍ଷିତ ରହିବ। ସେଥିପାଇଁ ଆବଶ୍ୟକ ସବ୍‌ସ୍କ୍ରିପ୍‌ସନ୍‌ ନ ମିଳିଲେ ଅବଶିଷ୍ଟ ଇକ୍ୱିଟି ଶେୟାରକୁ ନେଟ୍‌ କ୍ୟୁଆଇବିଙ୍କ ଭାଗରେ ଯୋଡ଼ାଯିବ। ନେଟ୍‌ କ୍ୟୁଆଇବି ଭାଗର ୫% ମ୍ୟୁଚୁଆଲ୍‌ ଫଣ୍ଡ୍‌ମାନଙ୍କ ପାଇଁ ରହିବ। ନିଟ୍‌ ଇସ୍ୟୁର ୧୫% ଅଣ ସଂସ୍ଥାଗତ ବିଡରମାନଙ୍କ ଲାଗି ରହିବ। ତାହାର ୧୦% ରିଟେଲ୍‌ ନିବେଶକମାନଙ୍କ ପାଇଁ ରଖାଯିବ।

Share