ଚର୍ମରେ ଇନ୍ଦ୍ରିୟବୋଧ

‘ଚଳିତ ବର୍ଷ ପାଇଁ ଶରୀର ବିଜ୍ଞାନ ଏବଂ ଭେଷଜ ବିଜ୍ଞାନ
ନୋବେଲ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛନ୍ତି ଦୁଇଜଣ ଆମେରିକୀୟ ବୈଜ୍ଞାନିକ-ଡେଭିଡ ଜୁଲିୟସ୍‌
ଏବଂ ଆର୍ଡେମ ପାଟାପୌଟିଆନ୍‌।“

କିଏ ପାଇଲେ : ଚଳିତ ବର୍ଷ ପାଇଁ ଶରୀର ବିଜ୍ଞାନ ଏବଂ ଭେଷଜ ବିଜ୍ଞାନ ନୋବେଲ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛନ୍ତି ଦୁଇଜଣ ଆମେରିକୀୟ ବୈଜ୍ଞାନିକ। ଏ ଦୁହେଁ ହେଲେ ଡେଭିଡ୍‌ ଜୁଲିୟସ୍‌ ଏବଂ ଆର୍ଡେମ ପାଟାପୌଟିଆନ୍‌। ୭୫ ବର୍ଷ ବୟସ୍କ ଜୁଲିୟସ୍‌ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଶରୀର ବିଜ୍ଞାନ ପ୍ରଫେସର ଏବଂ ୫୪ବର୍ଷ ବୟସ୍କ ପ୍ରଫେସର ପାଟାପୌଟିଆନ୍‌ ଗବେଷଣାରତ ରହିଛନ୍ତି କାଲିଫର୍ଣ୍ଣିଆର ସ୍କ୍ରିପ୍‌ସ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ। ଆମେ ଗରମ, ଥଣ୍ଡା ଓ ସ୍ପର୍ଶ ବାରିପାରୁ କିପରି, ତାହାର ରିସିପ୍ଟର ବା ଅଭିଗ୍ରାହକମାନ ଆବିଷ୍କାର କରିବାରେ ଉଭୟେ ଜୁଲିୟସ୍‌ ଏବଂ ପାଟାପୌଟିଆନ୍‌ ସଫଳ ହୋଇଛନ୍ତି। ଏହା ଏକ ଅସାଧାରଣ ଓ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ହୋଇଥିବାରୁ ଉଭୟ ବୈଜ୍ଞାନିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ପ୍ରତ୍ୟେକ ବିଜେତାଙ୍କୁ ପ୍ରଦାନ କରାଯିବ ପାଖାପାଖି ୮ କୋଟି ୨୫ଲକ୍ଷ ଟଙ୍କା, ଗୋଟିଏ ସ୍ବର୍ଣ୍ଣ ପଦକ ଏବଂ ପୁରସ୍କାର ପାଇଥିବାର ପ୍ରମାଣପତ୍ର ବା ନୋବେଲ ଡିପ୍ଲୋମ।
ଆବିଷ୍କାରର ରୂପରେଖ : ଆପଣମାନେ ଜାଣନ୍ତି ଯେ ଆମେ ଗରମ, ଥଣ୍ଡା, ସ୍ପର୍ଶ, ଯନ୍ତ୍ରଣା ଓ କମ୍ପନ ବାରିପାରୁ। ସୁତରାଂ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ତାପ ଓ ସ୍ପର୍ଶ ଇତ୍ୟାଦି ଚର୍ମର ସ୍ନାୟୁରେ ଯେଉଁ ଉଦ୍ଦୀପନା ଜାତ କରିଥାଏ, ସ୍ନାୟୁରେ ସେହି ଉଦ୍ଦୀପନା ଜାତ ହୋଇଥାଏ କିପରି? ଏହି ପ୍ରଶ୍ନଟିର ସମାଧାନ କରିଦେଇଛନ୍ତି ନୋବେଲ ବିଜେତା ଜୁଲିୟସ୍‌ ଓ ପାଟାପୌଟିଆନ୍‌। ଚର୍ମର ସ୍ନାୟୁ ପ୍ରାନ୍ତରେ ଥିବା ରିସିପ୍ଟରକୁ ଚିହ୍ନଟ କରିବା ନିମନ୍ତେ ଜୁଲିୟସ୍‌ କ୍ୟାପ୍‌ସାଇସିନ୍‌କୁ ଉପଯୋଗ କରିଥିଲେ। ପାଟାପୌଟିଆନ୍‌ ଉପଯୋଗ କରିଥିଲେ ସ୍ପର୍ଶ ଅନୁଭବ କରିପାରୁଥିବା ଜୀବକୋଷ। ଏହା ସାହାଯ୍ୟରେ ସେ ଏକ ଅଭିନବ ଗୋଷ୍ଠୀର ‘ରିସିପ୍ଟର’ ଆବିଷ୍କାର କରିଥିଲେ, ଯାହା ଚର୍ମରେ ଏବଂ ଶରୀର ଅଭ୍ୟନ୍ତରରେ ସ୍ପର୍ଶ ଅନୁଭବକୁ ଚିହ୍ନଟ କରିପାରେ।
ତେବେ ଜାଣିରଖିବା ଉଚିତ ଯେ ଗରମ, ଥଣ୍ଡା, ସ୍ପର୍ଶ, ଯନ୍ତ୍ରଣା ଆଦି ପ୍ରତ୍ୟେକ ଅନୁଭବକୁ ବାରିବା ଓ ଏହି ତଥ୍ୟ ମସ୍ତିଷ୍କକୁ ବହନ କରି ନେବା ପାଇଁ ରହିଛି ଭିନ୍ନ ଭିନ୍ନ ସ୍ବତନ୍ତ୍ର ସ୍ନାୟୁ। ସେ ଓ ତାଙ୍କ ସହଯୋଗୀ ଗବେଷକମାନଙ୍କ ଏକନିଷ୍ଠ ନିରବଚ୍ଛିନ୍ନ ଗବେଷଣା ଫଳରେ ସେମାନଙ୍କୁ ଏପରି ଏକ ଜିନ୍‌ର ସନ୍ଧାନ ମିଳିଲା ଯାହା ସ୍ନାୟୁକୋଷକୁ କ୍ୟାପ୍‌ସାଇସିନ୍‌ ପ୍ରତି ସମ୍ବେଦନଶୀଳ କରିଥାଏ। ଏହା ପରର ଗବେଷଣାରୁ ଜଣାପଡ଼ିଗଲା ଯେ ସେହି ଜିନ୍‌ଟି ଟିଆରପିଭି-୧ (TRPV-1) ନାମକ ଆୟନ ଚ୍ୟାନେଲ ପ୍ରୋଟିନ ସଂଶ୍ଳେଷଣ ପାଇଁ ଦାୟୀ। ସେହି ପ୍ରୋଟିନ୍‌ଟି ତାପ ପ୍ରତି ପ୍ରତିକ୍ରିୟା ପ୍ରକାଶ କରିପାରିବା ପାଇଁ ସମର୍ଥ ବୋଲି ଜାଣିପାରିଲେ ଜୁଲିୟସ୍‌ ଓ ତାଙ୍କ ଗବେଷକ ଗୋଷ୍ଠୀ। ଟିଆରପିଭ-୧ର ଆବିଷ୍କାର ପରେ ଜୁଲିୟସ୍‌ଙ୍କର ହୃଦ୍‌ବୋଧ ହୋଇଗଲା ଯେ ସେ ଶରୀରର ତାପ ବାରିପାରୁଥିବା ରିସିପ୍ଟର ଆବିଷ୍କାର କରିବାରେ ସଫଳ ହୋଇଛନ୍ତି। ଚର୍ମରେ ତାପ ବାଜିଲେ ଏହି ରିସିପ୍ଟରଟି ସକ୍ରିୟ ହୋଇ ସ୍ନାୟୁ ଉଦ୍ଦୀପନା ସୃଷ୍ଟି କରେ ଓ ମସ୍ତିଷ୍କ ଉଦ୍ଦୀପିତ ହୋଇପଡ଼ିବାରୁ ଆମ ଚର୍ମରେ ଗରମ ବାଜିଥିବା କଥା ଆମେ ଜାଣିପାରୁ। ତାପ ଅନୁଭବ କରିପାରିବାର ପଦ୍ଧତି ତ ଜଣାପଡ଼ିଗଲା। ମାତ୍ର ସ୍ପର୍ଶ ତଥା ଚାପ ଅନୁଭବ କରିପାରିବାର ସ୍ନାୟୁପଦ୍ଧତି ପରିଷ୍କାର ଭାବରେ ଜଣାପଡ଼ିଲାନି। ଏହି ରହସ୍ୟ ଉନ୍ମୋଚନ କରିବା ନିମନ୍ତେ ପାଟାପୌଟିଆନ୍‌ ଓ ତାଙ୍କର ସହଯୋଗୀ ଗବେଷକମାନେ ସମାନ ପ୍ରକାରର ଜିନ୍‌ ଥିବା ସାଧାରଣ ପ୍ରକାରର ଜୀବକୋଷକୁ ଏକ ସୂକ୍ଷ୍ମପିପେଟ ଦ୍ୱାରା ସ୍ପର୍ଶ କରିବାରୁ ତାହା ଜଣାପଡ଼ିଲା ଜାଣି ହେଉଥିବା ବିଦ୍ୟୁତ୍‌ ସଂକେତ। ଏଭଳି ପରିଣତି ସମ୍ଭବତଃ ସକ୍ରିୟ ହୋଇପଡ଼ୁଥିବା ରିସିପ୍ଟରର ଆୟନ ଚ୍ୟାନେଲ ଯୋଗୁ ସମ୍ଭବ ବୋଲି ସେମାନେ ଚିନ୍ତା କଲେ।
ଏହି ନୋବେଲ ବିଜେତା ଦ୍ୱୟଙ୍କ ଯୁଗାନ୍ତକାରୀ ଆବିଷ୍କାର ଫଳରେ ଦୀର୍ଘକାଳୀନ ଯନ୍ତ୍ରଣାର ଚିକିତ୍ସା ସମେତ ହୃଦ୍‌ବୋଧ ଉଚ୍ଚରକ୍ତଚାପ ଇତ୍ୟାଦି ଅନେକ ରୋଗର ଚିକିତ୍ସା ସମ୍ଭବ ହୋଇଯିବ। ଏହି ଆବିଷ୍କାର ପରେ ଔଷଧ ବିଜ୍ଞାନ ବା ଫାର୍ମାକୋଲୋଜିର ପ୍ରଶସ୍ତ ଦ୍ୱାରା ଚିକିତ୍ସା ବିଜ୍ଞାନୀମାନଙ୍କ ପାଇଁ ଉନ୍ମୁକ୍ତ ହୋଇପାରିଛି।

ଡା. ନିତ୍ୟାନନ୍ଦ ସ୍ବାଇଁ
-ଅଭୀପ୍‌ସା, ସ୍କେଟର-୬,
ପ୍ଲଟ୍‌ ନଂ. ୧୧୩୧,
ଅଭିନବ ବିଡ଼ାନାସୀ, କଟକ-୧୪
ମୋ : ୮୩୨୮୯୭୫୧୧୮