Categories: ବାଣିଜ୍ୟ

ସେନ୍‌ସେକ୍ସ ୬୬ ହଜାର ଅଙ୍କ ନିକଟବର୍ତ୍ତୀ

ଭୁବନେଶ୍ୱର,୧୨।୭(ଅଭୟ ଦାଶ): ଗତ କିଛିଦିନ ହେବ ଭାରତୀୟ ଶେୟାର ବଜାରରେ ଉତ୍ସାହ ପରିଲକ୍ଷିତ ସହ ନିବେଶକଙ୍କ ନିବେଶ ମଧ୍ୟ ବୃଦ୍ଧି ହୋଇଛି। ଏପରିକି କ୍ରମାଗତ ୩ୟ ଦିନ ଲାଗି ଭାରତୀୟ ପୁଞ୍ଜିବଜାରରେ ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ମଙ୍ଗଳବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ର ସେନ୍‌ସେକ୍ସ ୨୭୪ ପଏଣ୍ଟ ବଢି ଥିବାବେଳେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ନିଫ୍ଟିରେ ମଧ୍ୟ ୮୪ ପଏଣ୍ଟ ବୃଦ୍ଧି ଘଟିଥିବା ଷ୍ଟକ୍‌ ବଜାର ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ବିଏସ୍‌ଇ ସେନ୍‌ସେକ୍ସ ପ୍ରାୟ ୬୬ ହଜାର ଅଙ୍କ ନିକଟବର୍ତ୍ତୀ ହୋଇଥିବାବେଳେ ଏନ୍‌ଏସ୍‌ଇ ନିଫ୍ଟି ମଧ୍ୟ ୧୯,୫୦୦ ଅଙ୍କରେ ପହଞ୍ଚତ୍ଛି। ଅପରପକ୍ଷରେ ଭାରତୀୟ ଶେୟାର ବଜାରର କାରବାର ବିଏସ୍‌ଇ ସେନ୍‌ସେକ୍ସରେ ୨୭୩.୬୭ ପଏଣ୍ଟ ବଢି ୬୫,୬୧୭.୮୪ ଅଙ୍କରେ କାରବାର ବନ୍ଦ ହୋଇଥିଲାବେଳେ ଏନ୍‌ଏସ୍‌ଇ ନିଫ୍ଟି-୫୦ରେ ୮୩.୫୦ ପଏଣ୍ଟ ବୃଦ୍ଧି ହୋଇ ୧୯,୪୩୯.୪୦ ଅଙ୍କରେ କାରବାର ବନ୍ଦ କରିଥିଲା। ଉଲ୍ଲେଖଯୋଗ୍ୟ, ଶେୟାର ବଜାରର ଉଭୟ ସ୍ମଲ୍‌ କ୍ୟାପ୍‌ ଓ ମିଡ୍‌ କ୍ୟାପ୍‌ଗୁଡିକରେ ୧୩ ପ୍ରମୁଖ ସେକ୍ଟୋରାଲ ସୂଚକାଙ୍କ ମଧ୍ୟରୁ ୮ଟି ରେ ହ୍ରାସ ଦେଖିବାକୁ ମିଳିଛି। ସେହିଭଳି ବିଏସ୍‌ଇର ୩୦ଶେୟାର ବିଶିଷ୍ଟ ସେନ୍‌ସେକ୍ସର କମ୍ପାନୀଗୁଡିକ ମଧ୍ୟରେ ଏଫ୍‌ଏମ୍‌ସିଜି କମ୍ପାନୀର ଶେୟାର ସବୁଠୁ ଅଧିକ ବୃଦ୍ଧି ପାଇଥିବା ବେଳେ ସନ୍‌ଫାର୍ମା, ମାରୁତି, ଟାଟା ମୋଟର୍ସ, ଆଇଟିସି, ନେସ୍‌ଲେ, ଏଲ୍‌ ଆଣ୍ଡ ଟି ଭଳି ନିବେଶକ କମ୍ପାନୀ ଲାଭରେ ରହିଥିବାବେଳେ ବଜାଜ ଫାଇନାନ୍ସ, ଆକ୍ସିସ୍‌ ବ୍ୟାଙ୍କ,ଏଚ୍‌ସିଏଲ୍‌ ଟେକ୍‌,ଏସ୍‌ବିଆଇ, ଏଚ୍‌ଡିଏଫ୍‌ସି ଭଳି ଅନେକ ନିବେଶକ କମ୍ପାନୀର ଶେୟାର ହ୍ରାସ ଘଟିଛି।

Share