Categories: ଜାତୀୟ

କୃଷି ଆଇନ୍‌ ପ୍ରତ୍ୟାହାର ଏକ ନିର୍ବାଚନୀ ଚାଲ୍‌: ପ୍ରିୟଙ୍କା

ନୂଆଦିଲ୍ଲୀ,୧୯।୧୧: ତିନୋଟି କୃଷି ଆଇନକୁ ରଦ୍ଦ କରିବାର ନିଷ୍ପତ୍ତି ପରେ ବିରୋଧୀମାନେ ଏହାର ପ୍ରତିକ୍ରିୟା ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କଂଗ୍ରେସର ବହୁ ବରିଷ୍ଠ ନେତା ଏହି ନିଷ୍ପତ୍ତି ନିର୍ବାଚନୀ ଚାଲ୍‌ ବୋଲି କହିଛନ୍ତି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଆଜି ପର୍ଯ୍ୟନ୍ତ କେନ୍ଦ୍ର କୃଷକଙ୍କ ଆନ୍ଦୋଳନ ଜାଣିପାରି ନ ଥିଲେ ନାହିଁ କିନ୍ତୁ ଆଜି ନିର୍ବାଚନ ପାଖେଇ ଆସୁଥିବା ବେଳେ ସେମାନେ କ୍ଷମା ମାଗିବାକୁ ଚେଷ୍ଟା କରୁଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ କ୍ଷମା ମାଗିବାକୁ ଆସିଛନ୍ତି, ଗତ ବର୍ଷ ଠାରୁ ବିରୋଧ କରୁଥିବା ଚାଷୀଙ୍କୁ କେଉଁ ପରିସ୍ଥିତିରେ ବଞ୍ଚିବାକୁ ପଡୁଛି ସେ ସବୁ ଭୁଲିଯାଇଥିଲେ। ବିରୋଧୀ ଚାଷୀଙ୍କୁ ଆନ୍ଦୋଳନକାରୀ, ଆତଙ୍କବାଦୀଙ୍କ ନାମରେ ସମ୍ବୋଧିତ କରାଯାଇଥିଲା। ମୁଁ ଜାଣିବାକୁ ଚାହେଁ କାହିଁକି ଏହି ନିଷ୍ପତ୍ତି ନେବାକୁ ଏତେ ସମୟ ଲାଗିଲା। ଆଜି ପର୍ଯ୍ୟନ୍ତ ଏହି ଆନ୍ଦୋଳନର ସମର୍ଥନରେ ପ୍ରଧାନମନ୍ତ୍ରୀ କିଛି କହି ନାହାଁନ୍ତି, ସେ ଥରେ ବିରୋଧ ପ୍ରଦର୍ଶନ ସ୍ଥାନକୁ ଯାଇ ନାହାନ୍ତି, ତେବେ ଆଜି ଯେତେବେଳେ ୬୦୦-୭୦୦ କୃଷକ ଶହୀଦ ହୋଇଛନ୍ତି, ଆମେ କ୍ଷମା ମାଗିବା କିମ୍ବା ଆଇନ ପ୍ରତ୍ୟାହାର କରିବା କଥା ଉପରେ କିପରି ବିଶ୍ୱାସ କରିପାରିବା? ପ୍ରିୟଙ୍କା କହିଛନ୍ତି ଯେ, ଏହି ନିଷ୍ପତ୍ତି ନିର୍ବାଚନ ସମ୍ପୂର୍ଣ୍ଣ ଅନୁପ୍ରାଣିତ। ନିର୍ବାଚନରେ ଦଳର ଖରାପ ଅବସ୍ଥା ଦେଖିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଦେଶର ଲୋକମାନେ ବୁଝୁଛନ୍ତି।
କେନ୍ଦ୍ରରେ ଥିବା ମୋଦି ସରକାର ତିନୋଟି କୃଷି ଆଇନକୁ ରଦ୍ଦ କରିବାକୁ ଘୋଷଣା କରିଛନ୍ତି। କିନ୍ତୁ, ମୋଦି ସରକାରଙ୍କ ଉପରେ ଚାଷୀଙ୍କ ଅସନ୍ତୋଷ କମିନାହିଁ। ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବା ମିଳିତ କୃଷକ ମୋର୍ଚ୍ଚା କୃଷି ଆଇନ ବିରୋଧରେ ୭୦୦ ଚାଷୀଙ୍କ ମୃତ୍ୟୁ ପାଇଁ ମୋଦି ସରକାରଙ୍କୁ ଦାୟୀ କରିଛି।

Share