Categories: ଜାତୀୟ

ବିନା ଦୋଷରେ ୨୦ ବର୍ଷ ଜେଲରେ ବିତିଲା

ଲଳିତପୁର,୬।୩: ବିନା ଦୋଷରେ ଜଣେ ଲୋକଙ୍କୁ ୨୦ ବର୍ଷ ଜେଲରେ ବିତାଇବାକୁ ପଡ଼ିଛି। ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଲଳିତପୁରରେ ଘଟିଛି। ୧୬ ବର୍ଷ ବୟସରେ ୨୦୦୦ରେ ବିଷ୍ଣୁ ତିଓ୍ବାରି ନାମକ ଅଭିଯୁକ୍ତଙ୍କୁ ଶେଶନ କୋର୍ଟ ବଳାତ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଥିଲେ। ଗୃହପାଳିତ ପ୍ରାଣୀଙ୍କୁ ନେଇ ଏକ ସାଧାରଣ କଳିକୁ ବଳାତ୍କାରର ରୂପ ଦିଆଯାଇଥିଲା। ରାଜନୈତିକ ଚାପରେ ୩ ଦିନ ପରେ ତାଙ୍କ ବିରୋଧରେ ଥାନାରେ ମାମଲା ଦାଏର କରାଯାଇଥିଲା। ବିଷ୍ଣୁଙ୍କୁ ଜେଲ୍‌ ଦଣ୍ଡାଦେଶ କରାଯିବା ପରେ ତାଙ୍କ ମାତାପିତାଙ୍କୁ ମୃତ୍ୟୁ ଘଟିଥିଲା। ଏହାପରେ ଅନ୍ୟ ଦୁଇ ଭାଇଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ମାତ୍ର ପରିବାର ସଦସ୍ୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ବିଷ୍ଣୁଙ୍କୁ ଅନୁମତି ମିଳି ନ ଥିଲା। ଆଗ୍ରା ଜେଲରୁ ମୁକ୍ତ ହୋଇ ୩୬ ବର୍ଷ ବୟସ୍କ ବିଷ୍ଣୁ ମାର୍ଚ୍ଚ ୩ ରାତିରେ ଘରକୁ ଫେରିଛନ୍ତି। ବିନା ଦୋଷରେ ଜେଲଦଣ୍ଡ ଭୋଗୀ ଥିବାନେଇ ବିଷ୍ଣୁ ଦଃଖରେ ଭାଙ୍ଗିପଡ଼ିଛନ୍ତି। ସୂଚନାଯୋଗ୍ୟ, ଦୃଢ଼ ପ୍ରମାଣ ନ ଥିଲେ ମଧ୍ୟ ବିଷ୍ଣୁଙ୍କୁ ଦଣ୍ଡାଦେଶ କରାଯାଇଥିଲା। ଅପରପକ୍ଷରେ ଆଜୀବନ କାରାଦଣ୍ଡାଦେଶ ଅବଧି ୧୪ ବର୍ଷ ଥିବାବେଳେ ବିଷ୍ଣୁଙ୍କୁ ଅଧିକ ୬ ବର୍ଷ ଜେଲରେ ବିତାଇବାକୁ ପଡ଼ିଛି। ଏହି ମାମଲାରେ ଆହ୍ଲାବାଦ୍‌ ହାଇକୋର୍ଟ ଜେଲ କର୍ତ୍ତୃପକ୍ଷଙ୍କୁ ଭର୍ସନା କରିଛନ୍ତିି। ଅଭିଯୁକ୍ତଙ୍କ ବିରୋଧରେ ଜଣେ ମହିଳାଙ୍କୁ ବଳାତ୍କାର ଅଭିଯୋଗ ଅଣାଯାଇଥିଲା। ସମ୍ପୃକ୍ତ ମହିଳା ଏସ୍‌ସି ହୋଇଥିବାରୁ ଏସ୍‌ସି-ଏସ୍‌ଟି ଆକ୍ଟ ଅନୁସାରେ ଶେଶନ କୋର୍ଟ ଏଭଳି ରାୟ ଦେଇଥିଲେ। ପରେ ଅଭିଯୁକ୍ତ ଏନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ବିଚାରପତି ଡ. କେ.ଜେ. ଠାକ୍‌ରେ ଏବଂ ଗୌତମ ଚୌଧୁରୀଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ମାମଲାର ବିଚାର କରି ଅଭିଯୁକ୍ତଙ୍କ ବିରୋଧରେ ଆବଶ୍ୟକ ପ୍ରମାଣ ନ ଥିବା ଦର୍ଶାଇ ତାଙ୍କ୍‌ୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ବିନା ଦୋଷରେ ଜେଲରେ ୨୦ ବର୍ଷ ବିତାଇ ଥିବାରୁ ଏବଂ ଆଜୀବନ କାରାଦଣ୍ଡ ସମୟ ସୀମା ଶେଷ ପରେ ବି କାହିଁକି ଆଇନର ପାଳନ କରାଗଲା ନାହିଁ ବୋଲି ହାଇକୋର୍ଟ ଭର୍ସନା କରଥିଲେ। ଏହାପରେ ଆଗ୍ରା ଜେଲ କର୍ତ୍ତୃପକ୍ଷ ବିଷ୍ଣୁଙ୍କୁ ମୁକ୍ତ କରିବା ଆବଶ୍ୟକ ପଦକ୍ଷେପ ନେଇଥିଲେ।

Share