Categories: ଜାତୀୟ

୨୧ ବର୍ଷରେ ୨୬୧୭ଙ୍କୁ ଫାଶୀଦଣ୍ଡ, ୮ଜଣଙ୍କୁ ମିଳିଛି ଫାଶୀ…

ନୂଆଦିଲ୍ଲୀ,୨୧।୨ : ଦେଶରେ ଗତ ୨୧ ବର୍ଷ ମଧ୍ୟରେ ୨୬୧୭ ଜଣଙ୍କୁ କୋର୍ଟ ପକ୍ଷରୁ ଫାଶୀ ଦଣ୍ଡାଦେଶ କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୮ ଜଣଙ୍କୁ ଫାଶୀ ଦିଆଯାଇଛି। ତେବେ ସ୍ବାଧୀନ ଭାରତରେ ବର୍ତ୍ତମାନ ସୁଦ୍ଧା କେତେ ଜଣଙ୍କୁ ଫାଶୀ ଦିଆଯାଇଛି ତାହାର ଠିକ୍‌ ରେକର୍ଡ କାହା ପାଖରେ ନାହିଁ।ଏନସିଆର୍‌ବି, ବ୍ୟୁରୋ ଅଫ୍‌ ପୋଲିସ ରିସର୍ଚ୍ଚ ଆଣ୍ଡ ଡେପଲପମେଣ୍ଟ୍‌ ଅଥବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପାଖରେ ଏସମ୍ପର୍କିତ କୌଣସି ସଠିକ୍‌ ତଥ୍ୟ ନାହିଁ। ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଅନୁସାରେ ସ୍ବାଧୀନ ଭାରତରେ ୭୫୫ ଜଣଙ୍କୁ ଫାଶୀ ଦଣ୍ଡ ମିଳିଛି। ଏନସିଆର୍‌ବି ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ରାଜ୍ୟଗୁଡ଼ିକର ସଂଖ୍ୟା ସହିତ ମେଳ ଖାଉ ନାହିଁ।

ଫାଶୀ ଦଣ୍ଡରୁ ୧୫ ବର୍ଷରୁ କମ୍‌ ବୟସ୍କ ଅପରାଧୀ,ଗର୍ଭବତୀ ମହିଳା, ମାନସିକ ଭାରସାମ୍ୟ ହରାଇଥିବା ଅପରାଧୀ, ୭୦ ବର୍ଷରୁ ଅଧିକ ବୟସ୍କ ଅପରାଧୀଙ୍କୁ ମୁକ୍ତ ରଖାଯାଇଛି।

ଭାରତରେ ଫାଶୀଦଣ୍ଡ ମିଳିଥିବା ଅପରାଧୀଙ୍କ ମଧ୍ୟରେ ୭୬ ପ୍ରତିଶତ ହେଉଛନ୍ତି ପଛୁଆ ବର୍ଗ,ଏସ୍‌ସି/ଏସ୍‌ଟି ଏବଂ ଅଳ୍ପ ସଂଖ୍ୟକ। ୩୮୧ ଜଣ ଫାଶୀ ଦଣ୍ଡାଦେଶ ପାଇଥିବା କଏଦୀଙ୍କ ଉପରେ ହୋଇଥିବା ଏକ ସର୍ଭେ ଅନୁସାରେ କେରଳରେ ସର୍ବାଧିକ ୯୩.୩ ପ୍ରତିଶତ ଗରିବଙ୍କୁ ଏଭଳି ଦଣ୍ଡ ମିଳିଛି। ଅପରପକ୍ଷରେ ମହାରାଷ୍ଟ୍ରରେ ଏଭଳି ଲୋକଙ୍କ ସଂଖ୍ୟା ୮୮.୯ ପ୍ରତିଶତ, ଦିଲ୍ଲୀରେ ୮୦ ଏବଂ ବିହାରରେ ୭୫ ପ୍ରତିଶତ ରହିଛି। ସେମାନଙ୍କ ମଧ୍ୟରେ ୨୩ ପ୍ରତିଶତ ପାଠଶାଠ ପଢ଼ି ନାହାନ୍ତି। ୧୦ ପ୍ରତିଶତ କେବଳ ପ୍ରାଇମେରୀ ଯାଏଁ ପାଠ ପଢ଼ିଛନ୍ତି।

୩୮୧ ଜଣଙ୍କ ମଧ୍ୟରେ ୧୨୭ ଜଣ ପଛୁଆବର୍ଗର, ୭୬ ଅଳ୍ପସଂଖ୍ୟକ, ୯୦ ଜଣ ଏସ୍‌ସି/ଏସ୍‌ଟି ଏବଂ ୮୮ ଜଣ ସାଧାରଣ ବର୍ଗର ଅଛନ୍ତି।

୨୦୦୦ରୁ ୨୦୧୪ ମଧ୍ୟରେ ୧୮୧୦ ଜଣଙ୍କୁ ବିଭିନ୍ନ ମାମଲା ଫାଶୀଦେଶ ହୋଇଥିଲା। ମାତ୍ର ସେମାନଙ୍କ ମଧ୍ୟରୁ କେବଳ ୪ ଜଣଙ୍କୁ ଫାଶୀ ଦିଆଯାଇଥିଲା। ଅପରପକ୍ଷରେ ୯୭୫ ଜଣଙ୍କ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଇଥିଲା। ସେହିପରି ଫାଶୀ ଦଣ୍ଡାଦେଶ କରାଯାଇଥିବା ୪୪୩ ଜଣଙ୍କୁ କୋର୍ଟ ଖଲାସ କରିଛନ୍ତି। କେତେକଙ୍କ ଦଣ୍ଡାଦେଶ କମାଇବା ଅପିଲ୍‌ ପ୍ରତ୍ୟାଖାନ ହୋଇଥିବାବେଳେ କିଛିଙ୍କର ମୃତ୍ୟୁ ଘଟି ସାରିଛି। ଗତ ୧୪ ବର୍ଷରେ ସୁପ୍ରିମ୍‌କୋର୍ଟ ୭୩ ଜଣଙ୍କୁ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ସେଥିମଧ୍ୟରେ ଅଧିକାଂଶ କ୍ଷେତ୍ରରେ ରାଜକ୍ଷମା ଆବେଦନ କରାଯାଇଛି।

Share