ପୃଥକ୍‌ ଦୁର୍ଘଟଣା: ୩ ଜୀବନ ଗଲା

ଭଞ୍ଜନଗର/ପୁରୁଷୋତ୍ତମପୁର/ପାରଳାଖେମୁଣ୍ଡି,୪।୧(ଡି.ଏନ.ଏ): ଗଞ୍ଜାମ ଓ ଗଜପତି ଜିଲାରେ ମଙ୍ଗଳବାର ପୃଥକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଯୁବ ଆଇନଜୀବୀ ଓ ଜଣେ ଅବସରପ୍ରାପ୍ତ ଶିକ୍ଷକ ଅଛନ୍ତି। ଭଞ୍ଜନଗର ବାର୍‌ ଆସୋସିଏଶନର ଯୁବ ଆଇନଜୀବୀ ସୁରଜିତ ପଣ୍ଡାଙ୍କ କୌଣସି ଏକ ଗାଡ଼ି ଧକ୍କାରେ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ବାର୍‌ ଆସୋସିଏଶନ କର୍ମକର୍ତ୍ତାମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଭଞ୍ଜନଗର ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇଛି। ସୁରଜିତ୍‌ ପୂର୍ବାହ୍ନରେ ବାଇକ୍‌ରେ କୁଲାଡ଼ ଅଭିମୁଖେ ଯାଉଥିଲେ । ସାହାଣପଲ୍ଲୀ ନିକଟରେ ଏମ୍‌ଭିଆଇଙ୍କ ପକ୍ଷରୁ ଯାନବାହନ ଯାଞ୍ଚ ଚାଲିଥିଲା। ସୁରଜିତ୍‌ ଯାଞ୍ଚ ସମୟରେ ବ୍ରେକ୍‌ ମାରିଥିବା ବେଳେ କୌଣସି ଗାଡ଼ି ତାଙ୍କୁ ଧକ୍କା ଲଗାଇ ପଳାଇଥିବା ଅନୁମାନ କରାଯାଉଛି। ଏମ୍‌ଭିଆଇ କର୍ମଚାରୀମାନେ ସୁରଜିତଙ୍କୁ ଉଦ୍ଧାର କରି ଭଞ୍ଜନଗର ହସ୍ପିଟାଲକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ସେହିପରି ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ହିଣ୍ଡୁଳା ଛକ ନିକଟରେ ଅଟୋ ଧକ୍କାରେ ଛତ୍ରପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗ୍ରାମର ଶ୍ରୀନିବାସ ପାତ୍ର (୬୯)ଙ୍କ ମୃତ୍ୟୁ ଘଟିଛି। ସେ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଅଟୋଟି ପଛପଟୁ ଧକ୍କା ଦେଇଥିଲା। ଫଳରେ ଶ୍ରୀନିବାସ ଗୁରୁତର ଭାବେ ଆହତ ହୋଇ ତଳେ ପଡି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭାଟକୁମରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ପୁରୁଷୋତ୍ତମପୁର ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ମୃତଦେହ ଜବତ କରିବା ସହ ଅଟୋକୁ ମଧ୍ୟ ଜବତ କରିଛି। ଏ ନେଇ ଥାନା କେସ୍‌ ନଂ. ୭/୨୩ ରେ ମାମଲା ରୁଜୁ ହୋଇଛି।
ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ନଟରାଜ ସିନେମା ହଲ ନିକଟରେ ଟ୍ରାକ୍ଟର ଧକ୍କାରେ ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ପଣ୍ଡାଙ୍କ ମୃତ୍ୟୁ ଘଟିଛି। ରବୀନ୍ଦ୍ର ଅବସର ଗ୍ରହଣ ପରେ ପୁରୋହିତ କାମ କରୁଥିଲେ। ମଙ୍ଗଳବାର କୌଣସିଠାରେ ପୂଜାପାଠ କରି ଘରକୁ ଫେରୁଥିବା ସମୟରେ ଟ୍ରାକ୍ଟର(ଏପି୩୦ଭି ୨୫୮୮) ପଛପଟୁ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ଗତ ରବିବାର ଓ ସୋମବାର ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ହୋଇଥିବା ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା।

Share