Categories: ଜାତୀୟ

ପତ୍ନୀ-ପତିଙ୍କ ତଲାକର ଅଲଗା ନିୟମ, ଉତ୍ତରାଖଣ୍ଡ ସରକାରଙ୍କ ୟୁସିସି

ଡେରାଡୁନ,୨।୨: ୟୁନିଫର୍ମ ସିଭିଲ କୋଡ (ୟୁସିସି) ର ଡ୍ରାଫ୍ଟ ପ୍ରସ୍ତୁତ କରିବାକୁ ଉତ୍ତରାଖଣ୍ଡ ସରକାର ଗଠନ କରିଥିବା କମିଟି ଶୁକ୍ରବାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଏହି ଡ୍ରାଫ୍ଟ ଡକ୍ୟୁମେଣ୍ଟ ହସ୍ତାନ୍ତର କରିଛି। ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାଞ୍ଚ ସଦସ୍ୟ ବିଶିଷ୍ଟ କମିଟିର ସଭାପତି ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଂଜନ ପ୍ରକାଶ ଦେଶାଇ ୟୁସିସିର ଡ୍ରାଫ୍ଟକୁ ମୁଖ୍ୟମନ୍ତ୍ରୀ ଧାମିଙ୍କୁ ହସ୍ତାନ୍ତର କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ରାଧା ରତୁରୀ ଉପସ୍ଥିତ ଥିଲେ। ଏହି ସମୟରେ ଜଷ୍ଟିସ ଦେଶାଇ (ଅବସରପ୍ରାପ୍ତ) ଙ୍କ ବ୍ୟତୀତ ଜଷ୍ଟିସ ପ୍ରମୋଦ କୋହଲି (ଅବସରପ୍ରାପ୍ତ), ସାମାଜିକ କର୍ମୀ ମନୁ ଗୌଡ, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟ ଶାସନ ସଚିବ ଶତ୍ରୁଘ୍ନ ସିଂ ଏବଂ ଡୁନ ବିଶ୍ୱବିଦ୍ୟାଳୟର କୁଳପତି ସୁରେଖା ଡଙ୍ଗୱାଲ ମଧ୍ୟ ଉପସ୍ଥିତ ଥିଲେ।

ୟୁସିସ ଉପରେ ଏହି ବିଲ ପାସ କରିବାକୁ ଫେବୃଆରୀ ୫ରୁ ଉତ୍ତରାଖଣ୍ଡ ବିଧାନସଭାର ଏକ ଚାରି ଦିନିଆ ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ବିଧାନସଭାରେ ଏହାକୁ ବିଲ ଭାବରେ ଉପସ୍ଥାପନ କରିବା ପୂର୍ବରୁ ରାଜ୍ୟ କ୍ୟାବିନେଟରେ ମଧ୍ୟ ଏହି ଡ୍ରାଫ୍ଟ ଉପରେ ଆଲୋଚନା କରାଯିବ।
ଏହି ପରିପ୍ରେକ୍ଷୀରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ ଆସନ୍ତା ବିଧାନସଭା ଅଧିବେଶନରେ ୟୁନିଫର୍ମ ସିଭିଲ କୋଡ ବିଲ ଆଗତ ହେବ ଏବଂ ଏହା ଖୁବ ଶୀଘ୍ର ଆଇନ ଭାବରେ କାର୍ଯ୍ୟକାରୀ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଏକ ଭାରତ – ଶ୍ରେଷ୍ଠ ଭାରତ’ ର ଦୃଷ୍ଟିକୁ ହୃଦୟଙ୍ଗମ କରି ଆମେ ରାଜ୍ୟରେ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରିବାକୁ ସର୍ବଦା ସଂକଳ୍ପବଦ୍ଧ ଏବଂ ଆଜି ଆମେ ୟୁସିସି ମାଧ୍ୟମରେ ଏହି ସଂକଳ୍ପ ଗ୍ରହଣ କରୁଛୁ।

Share