Categories: ଖେଳ

ମାତ୍ର ଆଉ ଗୋଟିଏ ଓଭର୍‌ ମିଳିଯାଇଥିଲେ ମୁଁ…

ତ୍ରିନିଦାଦ,୨୮।୭: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜକୁ କ୍ଲିନ ସୁଇପ କରିଛି ଭାରତ। ତୃତୀୟ ଦିନିକିଆ ମ୍ୟାଚକୁ ୧୧୯ ରନ୍‌ରେ ଜିତି ତିନି ଟିକିଆ ସିରିଜକୁ ୩-୦ରେ କବଜା କରିଛି ଶିଖର ସେନା। ଏହି ମ୍ୟାଚରେ ଶୁବମନ ଗିଲ ୯୮ ରନ୍‌ର ଇନିଂସ ଖେଳି ଅପରାଜିତ ରହିଥିଲେ। ଫଳରେ ସେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଶତକଠାରୁ ମାତ୍ର ୨ ରନ ପଛେଇ ଯାଇଥିଲେ। ମ୍ୟାଚ ପରେ ଏହାକୁ ନେଇ ଗିଲ ଅତ୍ୟନ୍ତ ଭାବପ୍ରବଣ ହୋଇ ପଡିଥିଲେ।
ତୃତୀୟ ଦିନିକିଆରେ ଗିଲ ୯୮ ବଲରେ ୯୮ ରନ ସ୍କୋର କରିଥିଲେ। ଏଥିରେ ୭ ଚୌକା ଏବଂ ୨ଟି ଲମ୍ବା ଛକା ମାରିଥିଲେ। ଗିଲ ୯୮ ରନରେ ବ୍ୟାଟିଂ କରୁଥିବାବେଳେ ବର୍ଷା ଯୋଗୁ ଖେଳକୁ ମଝିରେ ବନ୍ଦ କରିବାକୁ ପଡିଥିଲା। ପରେ ଖେଳ ଆରମ୍ଭ ହେଲା, କିନ୍ତୁ ଭାରତକୁ ଆଉ ବ୍ୟାଟିଂ କରିବାର ସୁଯୋଗ ମିଳିଲା ନାହିଁ। ତା’ପରେ ୫୦-୫୦ ଓଭରର ଖେଳ ୩୫ ଓଭରକୁ ହ୍ରାସ କରାଯାଇଥିଲା। ଏହି କାରଣରୁ ଗିଲ ମାତ୍ର ଦୁଇଟି ରନରେ ଏକ ଶତକରୁ ବଞ୍ଚିତ ହୋଇଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଗିଲଙ୍କ ଏହା ହେଉଛି ସର୍ବଶ୍ରେଷ୍ଠ ସ୍କୋର।
ଶତକରୁ ବଞ୍ଚିତ ହେବା ପରେ ଗିଲ କହିଛନ୍ତି, ମୁଁ ଶତକ ସ୍କୋର କରିବାକୁ ଆଶା କରୁଥିଲି, କିନ୍ତୁ ଏହା (ବର୍ଷା) ମୋ ନିୟନ୍ତ୍ରଣରେ ନ ଥିଲା। ପ୍ରଥମ ଦୁଇଟି ଦିନିକିଆରେ ମୁଁ ଯେଉଁ ଢଙ୍ଗରେ ଆଉଟ୍‌ ହୋଇଥିଲି, ସେଥିରେ ମୁଁ ବହୁତ ନିରାଶ ହୋଇଥିଲି। ମୁଁ ବଲ ଅନୁଯାୟୀ ଖେଳିବାକୁ ଚେଷ୍ଟା କଲି ଏବଂ ଚାପକୁ ସଠିକ ଭାବରେ ପରିଚାଳନା କରିଥିଲି। ମୁଁ ଶତକ ପାଇଁ କେବଳ ଗୋଟିଏ ଓଭର ଚାହୁଁଥିଲି।
ୱେଷ୍ଟଇଣ୍ଡିଜ ବିପକ୍ଷରେ ଶୁଭମାନ ଗିଲ ଏକ ଭଲ ଖେଳ ପ୍ରଦର୍ଶନ କରିଥିଲେ ଏବଂ ସେ ଟିମ ଇଣ୍ଡିଆ ପାଇଁ ସବୁଠୁ ବଡ ମ୍ୟାଚ ବିଜେତା ଭାବରେ ଉଭା ହୋଇଥିଲେ। ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ମ୍ୟାଚରେ ସେ ୬୪ ରନ, ଦ୍ୱିତୀୟ ମ୍ୟାଚ୍‌ରେ ୪୩ ରନ ସଂଗ୍ରହ କରିଥିଲେ। ଏଥି ସହିତ ଗିଲ ତୃତୀୟ ଦିନିକିଆରେ ୯୮ ରନର ଯୋଗଦାନ କରିଥିଲେ। ଗିଲଙ୍କ ଚମତ୍କାର ପ୍ରଦର୍ଶନ ହେତୁ ତାଙ୍କୁ ‘ମ୍ୟାନ ଅଫ ଦି ସିରିଜ’ ପୁରସ୍କାର ପ୍ରଦାନ କରାଯାଇଥିଲା।

Share