Categories: ଖେଳ

ସର୍ଗିଓ ଲୋବେରା ଓଏଫ୍‌ସିର ନୂଆ କୋଚ୍‌

ଭୁବନେଶ୍ୱର,୧୮ା୫ (ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ଫୁଟବଲ୍‌ କ୍ଲବ(ଓଏଫ୍‌ସି)ର ମୁଖ୍ୟ କୋଚ୍‌ ଭାବରେ ସ୍ପାନିଶ ଫୁଟବଲର ସର୍ଗିଓ ଲୋବେରାଙ୍କୁ ନିଯୁକ୍ତି ଦିଆଯାଇଛି। ବୁଧବାର ଓଏଫ୍‌ସିର ମୁଖ୍ୟ କୋଚ୍‌ ଭାବରେ ସେ ଦୁଇବର୍ଷିଆ ଚୁକ୍ତି କରିଛନ୍ତି। ନିକଟରେ ସୁପର୍‌ କପ୍‌ ଜିତିବା ସହିତ ଏସିଆନ୍‌ ଏଏଫ୍‌ସି କପ୍‌ ପାଇଁ ଓଏଫ୍‌ସି ଯୋଗ୍ୟତା ହାସଲ କରିଥିବା ବେଳେ ଲୋବେରୋଙ୍କୁ ଦାୟିତ୍ୱ ମିଳିଛି। ଭାରତୀୟ ଫୁଟବଲରେ ଲୋବେରାଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏଫ୍‌ସି ଗୋଆ ଓ ମୁମ୍ବାଇ ସିଟି ଏଫ୍‌ସି ସହିତ ସେ କୋଚ୍‌ ଭାବରେ କାର୍ଯ୍ୟ କରିଥିବା ବେଳେ ଉଭୟ ଦଳ ଆଇଏସ୍‌ଏଲ୍‌ ଟାଇଟଲ ଜିତି ସାରିଛନ୍ତି। ଭାରତୀୟ ଉପମହାଦେଶରେ ଲୋବେରା ୪ଟି ସିଜନ ଅତିବାହିତ କରିଛନ୍ତି। ୨୦୧୭ରେ ଗୋଆ ସହିତ ଯୋଗ ଦେଇ ସେ ଦଳକୁ ଚାମ୍ପିୟନ କରିଥିଲେ। କ୍ରମାଗତ ୩ ସିଜନ ଧରି ସେ ଗୋଆକୁ ପ୍ଲେ ଅଫ୍‌ରେ ପହଞ୍ଚାଇ ଥିବାବେଳେ ୨୦୧୯ ସୁପର୍‌ କପ୍‌ ମଧ୍ୟ ଜିତାଇଥିଲେ। ଏହାପରେ ୨୦୨୦-୨୧ ସିଜନରେ ସେ ମୁମ୍ବାଇ ସିଟି ଏଫ୍‌ସି ସହିତ ଯୋଗ ଦେଇଥିଲେ। ଦଳକୁ ଲିଗ୍‌ ଷ୍ଟେଜରେ ଟେବଲ ଟପ୍‌ରେ ରଖିବା ପରେ ସେ ଚାମ୍ପିୟନ ମଧ୍ୟ କରିଥିଲେ। ଲୋବେରା ସର୍ବଦା ନିଜ ଦଳ ମଧ୍ୟରେ ବିଜୟର ଆତ୍ମବିଶ୍ୱାସ ଭରିଥାନ୍ତି। ଓଡ଼ିଶା ଏଫ୍‌ସି ସହିତ ତାଙ୍କର ଚୁକ୍ତି ଏକ ନୂତନ ଯୁଗର ଅୟମାରମ୍ଭ ବୋଲି କୁହାଯାଇଛି। ଦୀର୍ଘମିଆଦୀ ଯୋଜନା ଅନୁସାରେ ଲୋବେରାଙ୍କ ସହିତ ଦୁଇବର୍ଷିଆ ଚୁକ୍ତି ସ୍ବାକ୍ଷର କରାଯାଇଛି। ତାଙ୍କ ଅଧୀନରେ ଓଏଫ୍‌ସି ଏକ ଚାମ୍ପିୟନ ଦଳ ଭାବରେ ପରିଗଣିତ ହେବା ନେଇ ଆଶା କରାଯାଉଛି। ୪୬ ବର୍ଷୀୟ ଲୋବେରା ୨୦୦୬ରେ ବାର୍ସେଲୋନା ସି’ର କୋଚ୍‌ ରହିଥିଲେ। ଏହା ବ୍ୟତୀତ ଟେରାସା, ସାନ୍‌ ରୋକ୍‌, କେଉଟା, ଲାସ୍‌ ପାଲମାସ୍‌, ମୋଘ୍ରେବ ଟେଉଟାନ୍‌ ପରି ଦଳର ମ୍ୟାନେଜର ଦାୟିତ୍ୱରେ ରହିଛନ୍ତି। ଦୁଇଟି ଯାକ ଭାରତୀୟ ଫ୍ରାଞ୍ଚାଇଜିରେ ତାଙ୍କର ବିଜୟ ପ୍ରତିଶତ ୫୬ ରହିଛି। ସର୍ଗିଓ ଲୋବେରାଙ୍କୁ ମ୍ୟାନେଜର ଭାବରେ ପାଇ ଆମେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି କ୍ଲବ ପ୍ରେସିଡେଣ୍ଟ ରାଜ ଅଠଓ୍ବାଲ। ଏହା ଆଗକୁ ବଢିବାରେ କ୍ଲବ୍‌ର ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି ବୋଲି ସେ କହିଥିଲେ।

Share