ଡାକ୍ତର ସାଜିଲେ ସିରିୟଲ୍‌ କିଲର

ନୂଆଦିଲ୍ଲୀ,୧।୮: ଡାକ୍ତରଙ୍କୁ ସମସ୍ତେ ଭଗବାନଙ୍କ ଏକ ରୂପର ଆଖ୍ୟା ଦେଇଥାନ୍ତି। କାରଣ ଡାକ୍ତରମାନେ ଲୋକଙ୍କ ଜୀବନ ବଞ୍ଚାଇବା ସହ ଏକ ନୂଆ ଜୀବନ ଦେବାର ଅଧିକାରୀ ମଧ୍ୟ ହୋଇଥାନ୍ତି। ବେଳେବେଳେ ଅନ୍ୟକୁ ବଞ୍ଚାଇବାକୁ ଯାଇ ସେମାନଙ୍କୁ ନିଜ ଜୀବନର ବାଜି ମଧ୍ୟ ଲଗାଇବାକୁ ପଡ଼ିଥାଏ। ହେଲେ ଦିଲ୍ଲୀର ଜଣେ ଡାକ୍ତରଙ୍କ କାରାନାମା ବିଷୟରେ ଜାଣିଲେ ଲୋମଟାଙ୍କୁରି ଉଠିବ। କାରଣ ଉକ୍ତ ଡାକ୍ତର ଭଗବାନ ବଦଳରେ ଲୋକଙ୍କ ପାଇଁ ସାଜିଛନ୍ତି ଏକ ସଇତାନ। ସୂଚନାଯୋଗ୍ୟ, ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ଟ୍ରକ ଏବଂ ଟ୍ୟାକ୍ସି ଡ୍ରାଇଭରଙ୍କ ସମେତ ୧୦୦ରୁ ଅଧିକ ହତ୍ୟା ଘଟଣାରେ ସମ୍ପୃକ୍ତ ଜଣେ ଆୟୁର୍ବେଦିକ ଡାକ୍ତରଙ୍କୁ ପୋଲିସ ଜୁଲାଇ ୨୮ରେ ଗିରଫ କରିଛି। ଗିରଫ ଡାକ୍ତର ଜଣଙ୍କ ହେଉଛନ୍ତି ୬୨ବର୍ଷୀୟ ଦେବେନ୍ଦ୍ର ଶର୍ମା। ନିଜ ଅପରାଧକୁ ଲୁଚାଇବା ପାଇଁ ଡାକ୍ତର ଦେବେନ୍ଦ୍ର ୧୦୦ଜଣଙ୍କୁ ହତ୍ୟା କରି କୁମ୍ଭୀରକୁ ଖାଇବାକୁ ଦେଇଥିବା ଜଣାପଡିଛି। ତେବେ କେଉଁ ପରିସ୍ଥିତିରେ ସେ ଡାକ୍ତରରୁ ସିରିୟଲ୍‌ କିଲର ସାଜିଲେ ତାହା ଏବେ ସାମ୍ନାକୁ ଆସିଛି।

ସୂଚନା ମୁତାବକ ୧୯୮୪ରେ ଦେବେନ୍ଦ୍ର ରାଜସ୍ଥାନରେ ଏକ କ୍ଲିନିକ ଖୋଲିଥିଲେ। ୧୯୯୪ରେ ଗ୍ୟାସ ଏଜେନ୍ସି ଡିଲରସିପ ଯୋଜନାରେ ସେ ୧୧ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। କିନ୍ତୁ ଏହି କମ୍ପାନୀଠାରୁ ଦେବେନ୍ଦ୍ର ଠକେଇର ଶୀକାର ହୋଇଥିଲେ। କାରଣ ଉକ୍ତ କମ୍ପାନି ରାତାରାତି ଲୋକଙ୍କ ଟଙ୍କା ଠକି ନେଇ ଫେରାର ହୋଇଯାଇଥିଲା। ତେବେ ଏତେ ଟଙ୍କା ହରାଇବା ପରେ ଦେବେନ୍ଦ୍ରଙ୍କ ମାନସିକ ସନ୍ତୁଳନ ବିଗିଡ଼ି ଯାଇଥିଲା। ଏହାପରେ ସେ ନିଜର ନକଲି ଗ୍ୟାସ ଏଜେନ୍ସି, କିଡନୀ ଟ୍ରନ୍ସପ୍ଲାଣ୍ଟ ର଼୍ୟାକେଟ କରିବା ଆରମ୍ଭ କରିଦେଇଥିଲେ। ଏଥିପାଇଁ ସେ ଟ୍ରକ ଚାଳକଙ୍କୁ ହତ୍ୟା କରି ଉତ୍ତରପ୍ରଦେଶ କାସରଗଞ୍ଜର ହଜାରା ନଦୀରେ ଫୋପାଡ଼ିଦେଇଥିାନ୍ତି। କାରଣ ସେଠାରେ ବହୁ ସଂଖ୍ୟାରେ କୁମ୍ଭୀର ରହିଥାନ୍ତି। ଆତିପର୍ଯ୍ୟନ୍ତ ଦେବେନ୍ଦ୍ର ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ହତ୍ୟା କରି କୁମ୍ଭୀର ମୁହଁକୁ ଫିଙ୍ଗି ଦେଇଥିବା ନେଇ ପୋଲିସ ସମ୍ମୁଖରେ ସ୍ବୀକାର କରିଛନ୍ତି ବୋଲି ତଦନ୍ତକାରୀ ଅଧିକାରି ସୂଚନା ଦେଇଛନ୍ତି।

Share