ସିରିୟଲ୍‌ କିଲରଙ୍କୁ ଫାଶୀଦଣ୍ଡ

ଆବୁଜା,୧୦।୧୦: ନାଇଜେରିଆର ସିରିୟଲ୍‌ କିଲର ଗ୍ରେସିୟସ୍‌ ଡେଭିଡ୍‌- ଓ୍ବେଷ୍ଟଙ୍କୁ ମୃତ୍ୟୁଦଣ୍ଡ ମିଳିଛି। ୨୦୧୯ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ହୋଟେଲ ରୁମ୍‌ରେ ବଳାତ୍କାର ପରେ ତଣ୍ଟିଚିପି ୯ ମହିଳାଙ୍କୁ ହତ୍ୟା କରିଥିଲେ। ପୂର୍ବରୁ ଏଭଳି ଅନେକ ଅପରାଧ ସେ ଘଟାଇଥିବାବେଳେ ପ୍ରମାଣ ମିଳୁ ନ ଥିଲା। ପୋର୍ଟ ହାର୍‌କେର୍ଟରେ ସେ ୮ ଜଣ ମହିଳାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଗତ ସେପ୍ଟେମ୍ବରରେ ବଳାତ୍କାର ଓ ହତ୍ୟାକାଣ୍ଡକୁ ନେଇ ଲୋକମାନେ ରାଜରାସ୍ତାରେ ବିକ୍ଷୋଭ କରିବା ପରେ ସବୁ ଘଟଣା ଆସ୍ତେ ଆସ୍ତେ ଲୋକଲୋଚନକୁ ଆସିଥିଲା। ସେପ୍ଟେମ୍ବର ୧୯ରେ ଗ୍ରେସିୟସ୍‌ ଡେଭିଡ୍‌- ଓ୍ବେଷ୍ଟଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଦ୍ୱାରା ବଳାତ୍କାରର ଶିକାର ହୋଇଥିବା ଅଧିକାଂଶ ମହିଳା ଏବେ ସେକ୍ସଓ୍ବାର୍କର। ଏଭଳି ଅପରାଧୀଙ୍କୁ ଫାଶୀଦଣ୍ଡ ଦିଆଯିବା ଲାଗି ଜଷ୍ଟିସ ଆଡୋଲ୍‌ ଫୁସ୍‌ ରାୟରେ ଦର୍ଶାଇଛନ୍ତି। ଏଭଳି ଅପରାଧ କେବଳ ସିରିୟଲ୍‌ କିଲରମାନେ ହିଁ କରିପାରନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ନାଇଜେରିଆରେ ସାଧାରଣତଃ ମୃତ୍ୟୁଦଣ୍ଡ ଦିଆଯାଇ ନ ଥାଏ। ୨୦୧୬ରେ ଶେଷଥର ଲାଗି ଏଭଳି ଫାଶୀଦଣ୍ଡ ଦିଆଯାଇଥିଲା।

Share