ଜାତୀୟ ରାଜପଥରେ ସିରଜ୍‌ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

ବଡବିଲ,୨୩।୧(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ଥାନା ଅଧୀନ ୫୨୦ ନମ୍ବର ଜାତୀୟ ରାଜପଥ ଟଣ୍ଟୋ-କାଶିଆ ଛକନିକଟରେ ମଙ୍ଗଳବାର ଏକ ସିରିଜ ଦୁର୍ଘଟଣା ଘଟିଛି। ଟ୍ରକ ଭିତରେ ଚାପି ହୋଇ ଜଣେ ଚାଳକଙ୍କୁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ଟ୍ରକ ଡ୍ରାଇଭର ଗୁରୁତର ଥିବା ଜଣାପଡିଛି। ତାଙ୍କୁ ବଡବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି କରାଯାଇଛି। ମୃତ ଏବଂ ଗୁରୁତରଙ୍କ ପରିଚୟ ମିଳିପାରିନାହିଁ।

ମିଳିଥିବା ସୂଚନା ମୁତାବକ, ସୋମବାର ପୂର୍ବାହ୍ନରେ ରୁଗୁଡି ପଟୁ ଭଦ୍ରାସାହି ଆସୁଥିବା ଏନ୍‌ଏଚ୍‌ ୫୨୦ ଲେନ୍‌ରେ ୪ଟି ଟ୍ରକ ମଧ୍ୟରେ ସିରିଜ ଦୁର୍ଘଟଣା ଘଟି ଓଲଟି ପଡିଥିଲା। ଫଳରେ ୨ଜଣ ଟ୍ରକ ଡ୍ରାଇଭର କ୍ୟାବିନରେ ଚାପି ହୋଇଯାଇଥିଲେ। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଅଛନ୍ତି।

ଦୁର୍ଘଟଣାଗ୍ରସ୍ତ ଟ୍ରକଗୁଡିକ ମଧ୍ୟରୁ ୩ଟି ଟ୍ରକ ମଧ୍ୟରୁ ଓଡି-୦୯ଆର୍‌ ୬୨୪୭ ନମ୍ବର ବିଶିଷ୍ଟ ଟ୍ରକ ଖାଲି ଗାଡି ଥିବା ବେଳେ, ଏନ୍‌ଏଲ୍‌୦୧କେ ୩୯୪୭, ଏନଏଲ୍‌୦୧ ଏନ୍‌- ୬୦୬୬, ଏବଂ ଓଡି ୦୯ପି-୩୧୪୮ ନମ୍ବର ବିଶିଷ୍ଟ ଟ୍ରକରେ ଲୁହାଗୁଣ୍ଡ ବୋଝେଇ ହୋଇଥିଲା।

ଲୁହାପଥର ବୋଝେଇ ଟ୍ରକ ଏବଂ ରାସ୍ତାରେ ବେଆଇନ ପାର୍କିଂ କରିଥିବା ଟ୍ରକ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଉକ୍ତ ଟ୍ରକ ମଧ୍ୟରୁ ରୁଗୁଡି ପଟୁ ଆସୁଥିବା ଏକ ଟ୍ରକର ଚକା ଫାଟିଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଥିଲା ବେଳେ କିଭଳି ଭାବେ ଦୁର୍ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇପାରିନାହିଁ। ପୋଲିସ କର୍ମଚାରୀଙ୍କ ସହ ଏବଂ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ କଟର ସାହାର୍ଯ୍ୟରେ କ୍ୟାବିନ କାଟି ଗୁରୁତର ଚାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବଡବିଲ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଏପରିକି ଅନ୍ୟ ଏକ ଟ୍ରକ କେବିନରେ ଫସିରହିଥିବା ମୃତ ଚାଳକଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Share