ସିରିଜ ଦୁର୍ଘଟଣା: ଜଣେ ମୃତ, ୧୧ରୁ ଊର୍ଦ୍ଧ୍ୱ ଆହତ

କେନ୍ଦୁଝର,୩୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଶୁଆକାଟି ଓଏମସି ଛକରେ ଏନ୍‌ଏଚ୍‌ ୪୯ରେ ସୋମବାର ଏକ ସିରିଜ ଦୁର୍ଘଟଣା ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ରୁ ଊଦ୍ଧର୍‌ବ ବସ୍‌ ଯାତ୍ରୀ ଆହତ ହୋଇଛନ୍ତି। ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ବୁଲେଟ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ଏହି ସମୟରେ କେନ୍ଦୁଝରରୁ କାଞ୍ଜିପାଣି ଆଡ଼କୁ ଯାଉଥିବା ଅମ୍ବା ବସ୍‌ ପଛରେ ଏକ ଟ୍ରକ ଧକ୍କା ଦେବାରୁ ୧୧ରୁ ଊଦ୍ଧର୍‌ବ ଯାତ୍ରୀ ଆହତ ହୋଇ ଜିଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି। ଆଉ ଏକ ମିନି ପିକଅପ୍‌ ବସ୍‌ ଦୁର୍ଘଟଣା ଘଟାଇ ଥିବା ଟ୍ରକ୍‌ ପଛରେ ପିଟି ହୋଇଯିବାରୁ ରାସ୍ତା କଡ଼ ଡ୍ରେନ୍‌ ଭିତରକୁ ପଶିଯାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରିଥିଲା। ଲୁହ ପଥର ଲୋଡିଂ ପାଇଁ କିଛି ଦିନ ହେଲା ଏନ୍‌ଏଚ୍‌ ୪୯ରେ ଅଞ୍ଜରଠାରୁ ଶୁଆକାଟି ପର୍ଯ୍ୟନ୍ତ ରାସ୍ତାରେ ଟ୍ରକ ଛିଡ଼ା ହୋଇ ରହିଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଥିବା ବେଳେ ସାଧାରଣ ଲୋକଙ୍କ ଯାତାୟାତ ଅସୁରକ୍ଷିତ ହୋଇପଡ଼ିଛି। କେତେକ ଟ୍ରକ ଚାଳକ ଡିଭାଇଡର ଡେଇଁ ଗୋଟିଏ ପାଖରୁ ଅନ୍ୟ ପାଖକୁ ଗାଡ଼ି ଡେଇଁ ଲାଇନ ଆଗକୁ ଯାଉ ଥିବା ଏବଂ କେତେକ ଲାଇନ ଭାଙ୍ଗି ଆଗକୁ ଯାଇ ଲାଇନରେ ଛିଡ଼ା ହେବାକୁ ଉଦ୍ୟମ କରୁଥିବାରୁ ଏଭଳି ସମସ୍ୟା ଉପୁଜିଛି। ପାର୍କିଂ ବ୍ୟବସ୍ଥା ନ ଥିବାରୁ ଶହ ଶହ ସଂଖ୍ୟାରେ ଗାଡ଼ି ରାସ୍ତା ଉପରେ ଠିଆ ହେଇଥିବାରୁ ସାଧାରଣ ଲୋକ ଓ ଯାତ୍ରୀମାନେ ଅକଥନୀୟ ସମସ୍ୟା ଭୋଗୁଛନ୍ତି। ପୋଲିସ ନିୟନ୍ତ୍ରଣ କରିପାରୁନାହିଁ। ଏଣୁ ଏ ନେଇ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ପ୍ରଶାସନକୁ ନିବେଦନ କରିଛନ୍ତି।

Share