Categories: ଖେଳ

ବଡ଼ ଖବର: ବିରାଟ କୋହଲିଙ୍କ ସୁରକ୍ଷା ପ୍ରତି ବିପଦ ଥିବାରୁ ଅଭ୍ୟାସ, ପ୍ରେସ୍‌ମିଟ୍‌ ବାତିଲ କଲା ଆର୍‌ସିବି…

ନୂଆଦିଲ୍ଲୀ,୨୨।୫: ରାଜସ୍ଥାନ ରୟାଲ୍ସ(ଆର୍‌ଆର୍‌) ବିପକ୍ଷରେ ଆଇପିଏଲ୍‌ ୨୦୨୪ ଏଲିମିନେଟର୍‌ ପ୍ରତିଯୋଗିତା ଲାଗି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ(ଆର୍‌ସିବି) ପ୍ରସ୍ତୁତ ହେଉଥିବା ବେଳେ ବଡ଼ ଖବର ସାମ୍ନାକୁ ଆସିଛି। ବିରାଟ କୋହଲିଙ୍କ ସୁରକ୍ଷାକୁ ନେଇ ବିପଦ ଥିବାରୁ ଆର୍‌ସିବି ପକ୍ଷରୁ ଏହାର ଏକମାତ୍ର ଅଭ୍ୟାସ ସେସନ୍‌କୁ ବାତିଲ କରାଯାଇଛି। ବୁଧବାର ଦଳ ଅହମ୍ମଦାବାଦର ଗୁଜରାଟ କଲେଜ ପଡ଼ିଆରେ ଅଭ୍ୟାସ କରିବାକୁ ଯାଇଥାନ୍ତା, ହେଲେ ଏହି କାର୍ଯ୍ୟସୂଚୀ ବାତିଲ ହୋଇଛି।

ଆନନ୍ଦବଜାର ପତ୍ରିକା ଅନୁଯାୟୀ, ସୁରକ୍ଷା ବିପଦ କାରଣରୁ ରାଜସ୍ଥାନ ବିପକ୍ଷ ଏଲିମିନେଟର୍‌ ମ୍ୟାଚ୍‌ ପୂର୍ବରୁ ଫ୍ରାଞ୍ଚାଇଜ୍‌ ଖବରଦାତା ସମ୍ମିଳନୀ(ପ୍ରେସ୍‌ମିଟ୍‌) ମଧ୍ୟ କରି ନ ଥିଲା। ଏହା ପଛରେ କି କାରଣ ରହିଛି ସେନେଇ ଚର୍ଚ୍ଚା ଜୋର ଧରିଥିଲା।

ରିପୋର୍ଟ ମୁତାବକ, ଗୁଜରାଟ ପୋଲିସ ସୂଚାଇ ଦେଇଛି ଯେ ଅଭ୍ୟାସ ସେସନ୍‌ ବାତିଲ ହେବାର ମୁଖ୍ୟ କାରଣ ହେଉଛି ବିରାଟଙ୍କ ସୁରକ୍ଷା। ଆତଙ୍କବାଦୀ କାର୍ଯ୍ୟକଳାପ ସନ୍ଦେହରେ ପୋଲିସ ଅହମ୍ମଦାବାଦରୁ ୪ ଜଣଙ୍କୁ ମଧ୍ୟ ଗିରଫ କରିଛି। ଏ ସମ୍ବନ୍ଧରେ ପୋଲିସ ଆଇପିଏଲ୍‌ର ଉଭୟ ଫ୍ରାଞ୍ଚାଇଜ୍‌କୁ ସୂଚନା ଦେଇଥିଲା। ପରେ ବାଙ୍ଗାଲୁରୁ ଏହା ଉପରେ କାର୍ଯ୍ୟ କରି ସମସ୍ତ କାର୍ଯ୍ୟସୂଚୀ ବାତିଲ କରିଥିବା ବେଳେ ରାଜସ୍ଥାନ ନିଜ କାର୍ଯ୍ୟସୂଚୀ ସହ ଆଗକୁ ବଢ଼ିଥିଲା।

ଅହମ୍ମଦାବାଦରେ ପହଞ୍ଚିବା ପରେ କୋହଲି ଗିରଫଦାରୀ ବିଷୟରେ ଜାଣିବାକୁ ପାଇଥିଲେ। ସେ ଜଣେ ଜାତୀୟ ସମ୍ପତ୍ତି, ତାଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ପୋଲିସ ଅଫିସର ବିଜୟ ସିଂ ଜଓ୍ବାଲା କହିଛନ୍ତି, ଆର୍‌ସିବି ରିସ୍କ ନେବାକୁ ଚାହୁଁ ନ ଥିଲା। ଏଣୁ କୌଣସି ଅଭ୍ୟାସ ସେସନ୍‌ ହେବ ନାହଁ ବୋଲି ସେମାନେ ଆମକୁ ସୂଚନା ଦେଇଛନ୍ତି। ରାଜସ୍ଥାନ ଟିମ୍‌କୁ ଏନେଇ ଜଣାଯାଇଥିଲେ ହେଁ ସେମାନେ ଅଭ୍ୟାସ କରିବାରେ ଅସୁବିଧା ନାହିଁ ବୋଲି କହିଛନ୍ତି।

ତେବେ ଆର୍‌ସିବି ଟିମ୍‌ର ସୁରକ୍ଷାକୁ ନେଇ ହୋଟେଲ୍‌ ବାହାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଏହାଛଡ଼ା ଆଇପିଏଲ୍‌ରୁ ସ୍ବୀକୃତିପ୍ରାପ୍ତ ସଦସ୍ୟଙ୍କ ବ୍ୟତୀତ ଅନ୍ୟ କେହି ହୋଟେଲରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉନାହିଁ। ମ୍ୟାଚ୍‌ ସମୟରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି।

Share