”ରକ୍ତରେ ପ୍ରତିପିଣ୍ଡ (ଆଣ୍ଟିବଡି) ଜାଣିବା ପାଇଁ ସେରୋସର୍ଭେ କରାଯାଏ। କେରଳ, ମହାରାଷ୍ଟ୍ର, ଦିଲ୍ଲୀ, ଓଡିଶା ପ୍ରଭୃତି ଅନେକ ରାଜ୍ୟ ଏହାକୁ କାର୍ଯ୍ୟକାରୀ କରୁଛନ୍ତି। କରୋନା ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତରେ ତିଆରି ହୋଇଥିବା ଆଣ୍ଟିବଡି ରୋଗ ପ୍ରକୋପକୁ ପ୍ରତିହତ କରିପାରିବ କି ନାହିଁ ତାହା ଜାଣିବା ପାଇଁ ଏହି ପରୀକ୍ଷା ଉଦ୍ଦିଷ୍ଟ। ଆଣ୍ଟିବଡି ହେଉଛି ଭୂତାଣୁ ସଂକ୍ରମଣରୁ ରକ୍ତର ଶ୍ୱେତ ରକ୍ତକଣିକା ପ୍ରସ୍ତୁତ କରିଥିବା ପ୍ରୋଟିନ୍।“
ଭୁବନେଶ୍ୱରରେ କୋଭିଡ୍-୧୯ର ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ଆଗକୁ ଭୟଙ୍କର ଭାବରେ କରୋନା କାୟା ବିସ୍ତାର କରିବ। ଭୁବନେଶ୍ୱରସ୍ଥ ଆର.ଏମ.ଆଇ.ସି. କରିଥିବା ଦ୍ୱିତୀୟ ପର୍ଯ୍ୟାୟ ସର୍ବେକ୍ଷଣରୁ ଏହା ଜଣାପଡିଛି। ପ୍ରଥମ ସର୍ଭେ ଅନୁସାରେ ୧.୪ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ସୃଷ୍ଟି ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ସର୍ଭେରେ ଏହା ୫.୧୫କୁ ବୃଦ୍ଧି ପାଇଛି। ଏଥିରୁ ସୂଚନା ମିଳେ ଯେ, ଭୂତାଣୁ ସଂସ୍ପର୍ଶରେ ଆସି ଲୋକମାନଙ୍କର ପ୍ରତିରୋଧକ ଶକ୍ତି ଆପେ ଆପେ ସୃଷ୍ଟି ହୋଇଛି। ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ତା’ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ଅପରପକ୍ଷରେ ଆଗକୁ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। କିନ୍ତୁ ଲୋକଙ୍କଠାରେ ବିକଶିତ ଆଣ୍ଟିବଡି କମ୍ ରହିଛି।
ରକ୍ତରେ ପ୍ରତିପିଣ୍ଡ (ଆଣ୍ଟିବଡି) ଜାଣିବା ପାଇଁ ସେରୋସର୍ଭେ କରାଯାଏ। କେରଳ, ମହାରାଷ୍ଟ୍ର, ଦିଲ୍ଲୀ, ଓଡିଶା ପ୍ରଭୃତି ଅନେକ ରାଜ୍ୟ ଏହାକୁ କାର୍ଯ୍ୟକାରୀ କରୁଛନ୍ତି। କରୋନା ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତରେ ତିଆରି ହୋଇଥିବା ଆଣ୍ଟିବଡି ରୋଗ ପ୍ରକୋପକୁ ପ୍ରତିହତ କରିପାରିବ କି ନାହିଁ ତାହା ଜାଣିବା ପାଇଁ ଏହି ପରୀକ୍ଷା ଉଦ୍ଦିଷ୍ଟ। ଆଣ୍ଟିବଡି ହେଉଛି ଭୂତାଣୁ ସଂକ୍ରମଣରୁ ରକ୍ତର ଶ୍ୱେତ ରକ୍ତକଣିକା ପ୍ରସ୍ତୁତ କରିଥିବା ପ୍ରୋଟିନ୍। ଏହା ହେଉଛି ଦେହର ଦ୍ୱାରପାଳ। କୌଣସି ଜୀବାଣୁ କିମ୍ବା ଭୂତାଣୁ ଶରୀରରେ ପ୍ରବେଶ କଲେ ତାହା ସହିତ ଯୁଦ୍ଧ କରି ସେମାନଙ୍କୁ ମାରିଦିଅନ୍ତି। ଆଣ୍ଟିବଡି ପରିମାଣ ନିର୍ଣ୍ଣୟ ପାଇଁ ‘ଏଲିସା ଟେଷ୍ଟ’ କରାଯାଏ। ଏହି ପରୀକ୍ଷା କିଟ୍ ଭାରତର ଭେଷଜ ଗବେଷଣା ସଂସ୍ଥା ତିଆରି କରି ସବୁ ରାଜ୍ୟକୁ ଯୋଗାଉଛନ୍ତି। ଏହାଦ୍ୱାରା ପ୍ରଶାସନ କୋଭିଡ୍-୧୯ର ଠିକ ମୁକାବିଲା କରିପାରିବେ।
ସେରୋସର୍ଭେ ଦ୍ୱାରା ଗୋଟିଏ ଗୋଷ୍ଠୀରେ କେତେ ଲୋକଙ୍କର ରକ୍ତରେ ଭୂତାଣୁ ପ୍ରତିପିଣ୍ଡ ରହିଛି ତାହା ଜଣାପଡିବ। ଯେଉଁ ଲୋକଙ୍କଠାରେ ରୋଗ ସଂକ୍ରମଣ ଭୟ ରହିଛି ସେମାନଙ୍କୁ ଚିହ୍ନଟ କରାଯାଇପାରିବ। ଏହି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାରେ ସହାୟକ ହେବ। ଅଗଷ୍ଟ ମାସରେ ହୋଇଥିବା ସର୍ଭେ ଅନୁଯାୟୀ ଅହମ୍ମଦାବାଦରେ ୨୩.୪, ଇନ୍ଦୋରରେ ୭.୭, ପଞ୍ଜାବରେ ୨୭.୮, ପୁଣେରେ ୫୧.୫ ଏବଂ ଦିଲ୍ଲୀରେ ୨୯.୧ ପ୍ରତିଶତ ଲୋକଙ୍କ ରକ୍ତରେ ଆଣ୍ଟିବଡି ରହିଥିବାର ଜଣାପଡିଛି। ଗୋଟିଏ ଅଞ୍ଚଳରୁ ୭୦-୮୦ ପ୍ରତିଶତ ଲୋକଙ୍କ ରକ୍ତରେ ଆଣ୍ଟିବଡି ତିଆରି ହେଲେ ତାହାକୁ ଗୋଷ୍ଠୀ ସଂକ୍ରମଣ କୁହାଯାଏ। ଏହା ପ୍ରମାଣିତ କରୁଛି ଯେ ଭାରତରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ।
ସେରୋ ସର୍ବେକ୍ଷଣର ଆବଶ୍ୟକତା ହେଉଛି ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧକ ଶକ୍ତିର ପ୍ରବଣତା ଜାଣିବା ପାଇଁ। ତାହା ସହିତ ଟିକାଦାନ ପ୍ରକ୍ରିୟାର ମୂଲ୍ୟାୟନ ହୋଇପାରିବ। ରୋଗ ସଂକ୍ରମଣ ଆଶଙ୍କାରେ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିହେବ। ଭବିଷ୍ୟତ ରୋଗ ସଂକ୍ରମଣ ସୂଚନା ମିଳିପାରିବ। ରୋଗ ନିରାକରଣ ପୂର୍ବାନୁମାନ ହୋଇପାରିବ। ନୂତନ ଆବିର୍ଭୂତ ଭୂତାଣୁ ଦ୍ୱାରା ପୁନର୍ବାର ରୋଗ ସଂକ୍ରମଣ ହୋଇଥିଲେ ଜଣାପଡିବ।
ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାଙ୍କ ମତ ଅନୁଯାୟୀ ୨୦୨୧ ସେପ୍ଟେମ୍ବର ପୂର୍ବରୁ କୋଭିଡ୍-୧୯ ଟିକା ଉପଲବ୍ଧ ହେବ ନାହିଁ। ତେଣୁ ସେରୋ ସର୍ଭେ ଦ୍ୱାରା କେତେ ଲୋକ ଭୂତାଣୁ ଦ୍ୱାରା ସଂସ୍ପର୍ଶରେ ଆସିଛନ୍ତି ତାହା ଜାଣିବା ଆବଶ୍ୟକ। ଏହି ସର୍ବେକ୍ଷଣ ଠିକ ଭାବରେ ନ ହେଲେ ରୋଗ ନିୟନ୍ତ୍ରଣ ହୋଇପାରିବ ନାହିଁ। ଭୂତାଣୁ ଦେହରେ ପ୍ରବେଶ କରିବାର ୧୫ଦିନ ପରେ ଆଣ୍ଟିବଡି ଜଣାପଡିବ। ତାହା ପୂର୍ବରୁ ପରୀକ୍ଷା କଲେ ପ୍ରତିପିଣ୍ଡ ରକ୍ତରେ ମିଳେ ନାହିଁ।
ଡା. ଦ୍ୱିଜେଶ କୁମାର ପଣ୍ଡା
-ବରିଷ୍ଠ ନିଦାନ ଓ ଅଣୁଜୀବ ବିଶେଷଜ୍ଞ, ୧୨ ଆଚାର୍ଯ୍ୟ ବିହାର
ମୋ: ୯୪୩୮୪୭୦୭୭୭