Categories: ଜାତୀୟ

ଅଧା ତଥ୍ୟ ଦେଇଥିବାରୁ ସିରମର ଟିବି ଟିକାକୁ ମିଳିଲା ନାହିଁ ମଞ୍ଜୁରୀ

ନୂଆଦିଲ୍ଲୀ,୧ ।୫: ଟିବି ଟିକା ପାଇଁ ସରକାରଙ୍କ ସମିତି ସିରମ କମ୍ପାନୀର ପ୍ରସ୍ତାବକୁ ନାମଞ୍ଜୁର କରି ଦେଇଛନ୍ତି । ଏହାସହ ସୁରକ୍ଷା ଓ ଇମ୍ୟୁନୋଜେନେସିଟି ସମ୍ପର୍କିତ ଡାଟା ମାଗୁଛନ୍ତି । କମ୍ପାନୀ ପକ୍ଷରୁ ପ୍ରାୟ ୧ ମାସ ପୂର୍ବେ ଟିବି ଟିକାକୁ ଜରୁରୀ ପରିସ୍ଥିତିରେ ବ୍ୟବହାର ପାଇଁ ଅନୁମତି ଦେବାକୁ ଆବେଦନ କରାଯାଇଥିଲା । ଏହାପରେ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ(ସିଡିଏସସିଓ)ର ବିଶେଷଜ୍ଞ କାର୍ଯ୍ୟ ସମିତି(ଏସଇସି) ବୈଠକରେ ଏହାକୁ ଖାରଜ କରିଦିଆଯାଇଥିଲା ।
ସୂଚନାଯୋଗ୍ୟ, ଦେଶରେ ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ଟିବି ରୋଗୀ ଚିହ୍ନଟ ହେବା ସହ ବହୁ ସଂଖ୍ୟାରେ ଏମାନଙ୍କର ମୃତ୍ୟୁ ମଧ୍ୟ ହେଉଛି । ୨୦୨୧ରେ ୧୯.୩୩ ଲକ୍ଷ ନୂଆ ରୋଗୀ ଚିହ୍ନଟ ହୋଇଥିଲେ, ଯାହା ୨୦୨୦ ତୁଳନାରେ ପାଖାପାଖି ୧୯ ପ୍ରତିଶତ ଅଧିକ । ସେହିଭଳି ୨୦୧୯ରୁ ୨୦୨୧ ମଧ୍ୟରେ ଟିବି ରୋଗୀଙ୍କ ମୃତ୍ୟୁହାରରେ ୧୧ ପ୍ରତିଶତ ବୃଦ୍ଧି ହୋଇଥିଲା । ୨୦୨୦ରେ ୪.୯୩ ଲକ୍ଷ ଲୋକଙ୍କର ଟିବି ସଂକ୍ରମଣରେ ମୃତ୍ୟୁ ହୋଇଛି । ସେଥିପାଇଁ ଏକ ବଡ ଜନସଂଖ୍ୟାକୁ ଟିବିରୁ ମୁକ୍ତ କରିବା ପାଇଁ ଅଧ୍ୟୟନ କରାଯାଉଛି ।
ହେଲେ ଏହି ଅଧ୍ୟୟନ ଭାରତରେ ହୋଇ ନ ଥିଲା । ମିଳିଥିବା ସୂଚନା ଅନୁଯାୟୀ, ସିରକ କମ୍ପାନୀ ଦକ୍ଷିଣ ଆଫ୍ରିକାରେ ହୋଇଥିବା ଅଧ୍ୟୟନ ଅନୁଯାୟୀ, ଭାରତରେ ଏହାର ବ୍ୟବହାର ପାଇଁ ଅନୁମତି ମାଗିଥିଲା । ସେଠାରେ ନବଜାତ ଶିଶୁଙ୍କ ଉପରେ ୨ଟି ପରୀକ୍ଷଣ ହୋଇଥିଲା । ଆଉ ତୃତୀୟ ପର୍ଯ୍ୟାୟର ପରୀକ୍ଷଣ ଭାରତରେ ଆଇସିଏମଆର କରୁଥିଲା । ଏବେ ଭାରତରେ ଯେଉଁ ଅଧ୍ୟୟନ ଚାଲିଛି ସେଥିରୁ ଅନୁମାନ କରାଯାଉଛି କି ଟିବି ଟିକା ପାଇଁ ୨୦୨୫ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।

Share