ବ୍ରିଟେନ୍‌ରେ ୨୪୦ ମିଲିୟନ ପାଉଣ୍ଡ ନିବେଶ କରିବ ସେରମ ଇନ୍‌ଷ୍ଟିଚ୍ୟୁଟ୍‌

ଲଣ୍ଡନ,୪।୫: ଟିକା ନିର୍ମାତା କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏସ୍‌ଆଇଆଇ) ବ୍ରିଟେନରେ ପୁଞ୍ଜି ନିବେଶ କରିବାକୁ ଯାଉଛି। ଭବିଷ୍ୟତରେ ଟିକା ବ୍ୟବସାୟକୁ ବିସ୍ତାର କରିବା ଏବଂ ବହୁ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି କରିବା ପାଇଁ କମ୍ପାନୀ ଲଣ୍ଡନରେ ନୂଆ କାର୍ଯ୍ୟାଳୟ ପ୍ରତିଷ୍ଠା କରିବ ବୋଲି ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି। ଏଥିପାଇଁ ୨୪୦ ମିଲିୟନ୍‌ ବ୍ରିଟିଶ୍‌ ପାଉଣ୍ଡ୍‌
(ପ୍ରାୟ ୨୪୦୦ କୋଟି ଟଙ୍କା)ଖର୍ଚ୍ଚ ହେବ। କ୍ଲିନିକାଲ ପରୀକ୍ଷା, ଅନୁସନ୍ଧାନ ଏବଂ ବିକାଶ ଏବଂ ସମ୍ଭବତଃ ଟିକା ଉତ୍ପାଦନ ପାଇଁ ଏହି ପ୍ରକଳ୍ପ କାର୍ଯ୍ୟ କରିବ। ଭାରତ-ବ୍ରିଟେନ ବର୍ଦ୍ଧିତ ବାଣିଜ୍ୟ ଯୋଜନାର ଏକ ଅଂଶ ଭାବେ ଏହାକୁ ନିଆଯାଉଛି। ଏହାଦ୍ୱାରା ପ୍ରାୟ ୬,୫୦୦ ନିଯୁକ୍ତି ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଡାଉନିଙ୍ଗ ଷ୍ଟ୍ରିଟ ପକ୍ଷରୁ ସୂଚନା ଦିଆଯାଇଛି।
ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ବିଶ୍ୱର ସର୍ବବୃହତ ଟିକା ନିର୍ମାତା ଅଟେ। ବ୍ରିଟେନରେ କରୋନା ଭାଇରସ ପାଇଁ ଗୋଟିଏ ଡୋଜ ନାଜାଲ ଟିକା ପାଇଁ ସେରମ ଇନଷ୍ଟିଚ୍ୟୁଟ ମଧ୍ୟ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ କରିଛି। ମଙ୍ଗଳବାର ଶ୍ରୀ ଜନସନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଭର୍ଚୁଆଲ ଆଲୋଚନା ପୂର୍ବରୁ ଏହା ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ସେରମ ଇନ୍‌ଷ୍ଟିଚ୍ୟୁଟ୍‌ର ସିଇଓ ଅଦର ପୁନାଓ୍ବାଲା ଏବେ ଲଣ୍ଡନରେ ଅଛନ୍ତି। ଦେଶରେ ଲାଗି ରହିଥିବା ଏହି ଟିକା ଅଭାବ ପରିସ୍ଥିତି ଆସନ୍ତା ଜୁଲାଇ ଯାଏ ଜାରି ରହିବ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି। କାରଣ ତାଙ୍କ ସଂସ୍ଥା ଜୁଲାଇ ବେଳକୁ ହିଁ ନିଜର ଟିକା ପ୍ରସ୍ତୁତି କ୍ଷମତାକୁ ମାସିକ ୬-୭ କୋଟିରୁ ୧୦ କୋଟି ଯାଏ ବଢ଼ାଇବାକୁ ଲକ୍ଷ୍ୟ ରଖିଛି। ସୁତରାଂ ସେତେବେଳକୁ ଏହି ଟିକା ଅଭାବ ଦୂର ହୋଇପାରେ ବୋଲି ସେ ଏପରି ଭବିଷ୍ୟବାଣୀ କରିଛନ୍ତି। ସମ୍ପ୍ରତି ଦେଶରେ ଜାରି ରହିଥିବା ଟିକାକରଣ ପ୍ରକ୍ରିୟାରେ ଗତ ପହିଲାରୁ ୧୮ରୁ ୪୫ ବର୍ଷ ବୟସର ପ୍ରାୟ ୫୯ କୋଟି ସଂଖ୍ୟକ ବୃହତ୍ତମ ଗୋଷ୍ଠୀର ହିତାଧିକାରୀ ସାମିଲ ହେବା ପରେ ପୁନାଓ୍ବାଲାଙ୍କ ଏପରି ଆଶଙ୍କା ପ୍ରକଟ ଗୁରୁତ୍ୱ ବହନ କରୁଛି।

Share